Unknown

 

 

 

 

 

 

 

 

 

 

କେତୋଟି କଥା

(ତୃତୀୟ ଭାଗ)

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

 

ସୂଚୀପତ୍ର

 

ପୁରାଣ କଥା–

୧.

ପାପ ତେବେ କାହାର

୨.

ଭୀମକୁ ମାରିବ କିଏ

୩.

ସିନ୍ଦୂର ବିନ୍ଦୁ (ପଦ୍ୟ)

ଯୁଗନାରୀ–

୪.

ଭକ୍ତିମତୀ

୫.

ବିଜୟିନୀ

୬.

ବିପ୍ଳବିଣୀ (ପଦ୍ୟ)

ଜାତକ ଗଳ୍ପ–

୭.

ମାଧୁ ଜିଣିଲେ

୮.

ଇନ୍ଦ୍ର ହାରିଲେ

୯.

କଲାକର୍ମର ଫଳ (ପଦ୍ୟ)

ଆଦିବାସୀ କଥା–

୧୦.

ଭୂତ ପାନେ ପାଇଲା

୧୧.

ଗର୍ବର ଫଳ

୧୨.

ଭାଗ୍ୟର ଲେଖା (ପଦ୍ୟ)

ଯୋଗଜନ୍ମା–

୧୩.

ଭାରତ ଗୌରବ ଆଜାଦ୍‍

୧୪.

ଗୁରୁର ଗୌରବ

୧୫.

ଜାତିର ଗୌରବ (ପଦ୍ୟ)

କୀଟ ପତଙ୍ଗ–

୧୬.

ବିଚିତ୍ର ଜୀବ

୧୭.

ଆମର ଶତ୍ରୁ

୧୮.

ଆମର ମିତ୍ର

ଆବିଷ୍କାର କଥା–

୧୯.

ହିମାଳୟର ଦର୍ପଚୂର୍ଣ୍ଣ

୨୦.

ପ୍ରଥମ ମହାକାଶ ବିଜୟୀ

୨୧.

ସଭ୍ୟ ଦେଶ (ପଦ୍ୟ)

Image

 

ପାପ ତେବେ କାହାର ?

 

ବହୁତ କାଳର କଥା । ଅକଣ୍ଟ ବୋଲି ଗୋଟିଏ ରାଜ୍ୟଥିଲା, ସେ ରାଜ୍ୟରେ ଜଣେ ଧନୀଲୋକ ଥାଆନ୍ତି । ତାଙ୍କ ନାମ ମନୁ । ତାଙ୍କର ବହୁତ ଧନରତ୍ନ, ଦାସଦାସୀ, ଖମାର ଅମାର, ହାତୀଘୋଡ଼ା, କୋଠାବାଡ଼ି, ପୁଅଝିଅ ଆଉ ନାତି ନାତୁଣୀ ଥିଲେ । ରାଜ୍ୟର ଲୋକେ ତାଙ୍କୁ ଅତ୍ୟନ୍ତ ଭକ୍ତି କରୁଥିଲେ । ସେ ଦୁଃଖୀ ଦରିଦ୍ରଙ୍କୁ ଅନେକ ଦାନ କରୁଥିବାରୁ ସମସ୍ତେ ତାଙ୍କୁ ସାଧୁ ପୁରୁଷ ବୋଲି କହୁଥିଲେ । କେହି କେହି ତାଙ୍କୁ ମନୁ ସାଧବ ବୋଲି ଡାକୁଥିଲେ । ତାଙ୍କ ସ୍ତ୍ରୀଙ୍କ ନାମ ଅନ୍ନପୂର୍ଣ୍ଣା ।

 

ଦିନେ ରାତିରେ ସାଧବ ମନୁ ତାଙ୍କ ବାହାର ଘରେ ବସି ଥାଆନ୍ତି,କେତେକ ଲୋକ ତାଙ୍କୁ ସେମାନଙ୍କର ଦୁଃଖ ଜଣାଉଥାଆନ୍ତି, ଏହି ସମୟରେ ସାଧବଙ୍କର ପୁତ୍ର ଆସି ପିତାଙ୍କୁ ଭୋଜନ କରିବାକୁ ଡାକିଲେ । ସାଧବଙ୍କର କଠାଉ ମାଡ଼ିବାର ଅଭ୍ୟାସ ଥିଲା । ସେ କଠାଉ ମାଡ଼ି ଘର ଭିତରକୁ ଭୋଜନ କରିବାକୁ ଗଲେ ।

 

ପ୍ରତି ରାତ୍ରିରେ ସାଧବଙ୍କ ଘରେ ବହୁ ଆଲୋକ ଜଳେ । ଦଇବ ଯୋଗକୁ ସେହି ରାତ୍ରରେ ସାଧବଙ୍କ ଯିବାବାଟର ଆଲୋକଟି ଲିଭି ଯାଇଥିଲା । ବାଟରେ ଗୋଟିଏ କଅଁଳା ବାଛୁରୀ ଶୋଇଥିଲା । ବାଛୁରୀଟି ସେହିଦିନ ଜନ୍ମ ହୋଇଥାଏ । ଅନ୍ଧକାରରେ ଯାଉଯାଉ ବାଛୁରୀର ବେକରେ ସାଧବଙ୍କର ଗୋଡ଼ ପଡ଼ିଗଲା । କଠାଉରେ ଦଳିହୋଇ ବାଛୁରୀ ଛଟପଟ ହୋଇ ମରିଗଲା । ସାଧବ ଚମକି ସଙ୍ଗେ ସଙ୍ଗେ 'ରାମ ରାମ' ବୋଲି କହି ଉଠିଲେ ।

 

Image

 

ଗୋ-ବଧ ମହାପାପ । ଏଣୁ ସାଧବ ବହୁତ ପୂଜା ଓ ଦାନ କଲେ । ଲୋକେ ନାନା କଥା କହିଲେ; କିନ୍ତୁ ସାଧବଙ୍କର ଦାନ ଧର୍ମ ଦେଖି ଶେଷରେ ପଣ୍ଡିତମାନେ କହିଲେ ଯେ ସାଧବଙ୍କୁ ଗୋ-ବଧ ପାପ ଲାଗିବନାହିଁ; କାରଣ ସେ ସେହିକ୍ଷଣି ‘ରାମ ରାମ’ କହିଛନ୍ତି ।

 

ମର୍ତ୍ତ୍ୟରେ ସାଧବଙ୍କର ଗୋ-ହତ୍ୟା ପାପ କଥା ସ୍ୱର୍ଗରେ ଦେବତାମାନଙ୍କ ସଭାରେ ପଡ଼ିଲା । ସମସ୍ତେ କହିଲେ ଏ ପାପ ଭଗବାନ ବିଷ୍ଣୁଙ୍କୁ ଲାଗିବ ।

 

ସତକୁ ସତ ବିଷ୍ଣୁଙ୍କୁ ଏ ପାପ ଲାଗିଲା । ସେ ଦିନକୁ ଦିନ ଶକ୍ତିହୀନ ହୋଇ ପଡ଼ିଲେ । ତାଙ୍କ ଦେହରେ ରୋଗ ଦେଖାଦେଲା । ସେ ଆଉ ସହଜରେ ଉଠିବସି ପାରିଲେ ନାହିଁ । ବୈଦ୍ୟମାନଙ୍କ ଚିକିତ୍ସା କାଟୁ କଲାନାହିଁ । ଶେଷରେ ସ୍ୱର୍ଗର ବଡ଼ ବୈଦ୍ୟ ଧନ୍ୱନ୍ତରୀ ତାଙ୍କୁ କହିଲେ– ‘‘ନାରାୟଣ, ତୁମ୍ଭେ ନିଜ ନାମ ସ୍ମରଣ କର, ତେବେ ରୋଗରୁ ମୁକ୍ତ ହେବ ।’’ ନାରାୟଣ ସେହିପରି କରିବାରୁ ସୁସ୍ଥ ହେଲେ ।

 

ନାରାୟଣ ଦେବତାମାନଙ୍କୁ ଶିକ୍ଷା ଦେବାପାଇଁ ସ୍ଥିରକଲେ । ସେ ଗୋଟିଏ ବୃଦ୍ଧ ବାହ୍ମଣ ବେଶରେ ମର୍ତ୍ତ୍ୟକୁ ଆସିଲେ । ମନୁ ସାଧବ ନିକଟରେ ପହଞ୍ଚି ତାଙ୍କୁ କହିଲେ– ‘‘ମୁଁ ଜଣେ ଦରିଦ୍ର ବାହ୍ମଣ, ମୋ ନାମ ବିଶ୍ୱମ୍ଭର ପଣ୍ଡା । ଘର ମୋର କ୍ଷୀର ପୁରରେ, ହେ ସାଧବ, ଦାତା ବୋଲି ଆପଣ ବିଖ୍ୟାତ । ତେଣୁ ମୁଁ ଆପଣଙ୍କ ନିକଟକୁ ଆସିଅଛି ।" ସାଧବ ମନୁ ଭଗବାନଙ୍କ ମାୟା ବୁଝିପାରିଲେ ନାହିଁ। ସାଧବଙ୍କର ଧନସମ୍ପତ୍ତି, ଘରଦ୍ୱାର ଓ ପରିବାରମାନଙ୍କର ବେଶଭୂଷା ଦେଖି ମାୟା ବାହ୍ମଣ ପଚାରିଲେ– ‘‘ଏ ସବୁ କାହାର ?" ସାଧବ କହିଲେ–ଏ ସମସ୍ତ ମୋର, ଏମାନେ ମୋର ପୁଅ, ନାତି, ବନ୍ଧୁ ବାନ୍ଧବ । ରାଜ୍ୟ, ଧନ, ସ୍ତ୍ରୀ ଯାହା ତୁମେ ଏଠାରେ ଦେଖୁଛ ସବୁ ମୋର । ନାରାୟଣ ପଚାରିଲେ– ‘‘ତୁମେ ଗୋ-ବଧ ପାପ କରିଅଛ ବୋଲି ଲୋକଙ୍କ ଠାରୁ ଶୁଣିଲି । ଗୋ-ବଧ ପାପ ତେବେ କ’ଣ ତୁମର ?"

 

ସାଧବ କହିଲେ– ‘‘ସବୁକାର୍ଯ୍ୟ ଭଗବାନ କରୁଛନ୍ତି । ଗୋ-ବଧ ହେବା ସଙ୍ଗେ ସଙ୍ଗେ ମୁଁ ତାଙ୍କ ନାମ ଧରିଛି । ତେଣୁ ସେ ପାପ ଭଗବାନ ଗ୍ରହଣକଲେ,ସେ ପାପ ମୋର ନୁହେଁ ।’’

 

ମାୟା ବ୍ରାହ୍ମଣ କହିଲେ– ‘‘ଏ କିପରି କଥା ? ଧନ, ଜନ, ରାଜ୍ୟ, ସବୁ ତ ତୁମର ବୋଲି କହିଲ । ପାପଟି କେବଳ ଭଗବାନଙ୍କର କିପରି ହେଲା ? ତାହା ମଧ୍ୟ ତୁମର ।" ଏହା କହିବା ପରେ ସାଧବଙ୍କର ଧନରତ୍ନ କୁଆଡ଼େ ଉଭେଇଗଲା ଏବଂ ତାଙ୍କ ଘରଲୋକଙ୍କଠାରେ ନାନା ରୋଗ ଦେଖା ଦେଲା । ସାଧବ କାନ୍ଦି କାନ୍ଦି ମାୟା ବାହ୍ମଣଙ୍କ ପାଦତଳେ ପଡ଼ି କହିଲେ–ପ୍ରଭୁ, ମୁଁ ତୁମଙ୍କୁ ଚିହ୍ନିପାରିଲି ନାହିଁ । ତୁମେ କିଏ କହ, ମୋତେ କ୍ଷମାଦିଅ । ବିନୟ ହୋଇ ଅନେକ କଥା କହିବା ପରେ ନାରାୟଣ ତାଙ୍କୁ ନିଜର ପରିଚୟ ଦେଇ କହିଲେ– ‘‘ମନୁଷ୍ୟ ଧନ ଗର୍ବରେ ମାତି ସବୁ ମୋର ମୋର ବୋଲି କହେ । ସୁଖବେଳେ ସେ ସମସ୍ତ କଥା ପାଶୋରି ଦିଏ ଏବଂ ତାହା ଭଗବାନଙ୍କ ଦାନ ବୋଲି ମନେ କରେ ନାହିଁ । ଦୁଃଖ ପଡ଼ିଲେ ସେ ଭଗବାନଙ୍କୁ ଦୋଷ ଦିଏ । ଏହା ଉଚିତ ନୁହେଁ । ସଂସାରରେ ସୁଖ ଦୁଃଖ ସବୁ ଭଗବାନଙ୍କ ଦାନ । ମିଛରେ ମୋର ମୋର ବୋଲି କହିବା ଉଚିତ ନୁହେଁ ।

 

ମନୁ ସାଧବ ଭଗବାନଙ୍କ ମୁଖରୁ ଏହା ଶୁଣି ତାଙ୍କ ପାଦତଳେ ପଡ଼ି ନିଜର ଦୋଷ ମାନିଲେ।

 

ପ୍ରଶ୍ନ

 

୧.

ଭଗବାନ କିପରି ପାପରୁ ମୁକ୍ତ ହେଲେ ?

 

 

୨.

ମନୁ ସାଧବ କି ଶିକ୍ଷା ପାଇଲେ ?

Image

 

ଭୀମକୁ ମାରିବ କିଏ ?

 

ପାଣ୍ଡବ ପାଞ୍ଚଭାଇଙ୍କ ଭିତରେ ଭୀମ ସମସ୍ତଙ୍କଠାରୁ ବଳୁଆ, ଯାହାର ବଳ ବେଶି ସେ ତ ପରାକ୍ରମୀ, ଏହା ଅତି ସତକଥା । ସେଥିପାଇଁ ଦୁର୍ଯ୍ୟୋଧନ ପ୍ରଭୃତି ଶହେ ଭାଇ ଭୀମକୁ ମୋଟେ ସହିପାରନ୍ତି ନାହିଁ ସବୁବେଳେ ତାଙ୍କର ଚିନ୍ତା ଯେ ଭୀମଟା କିପରି ମରନ୍ତା କି । ହେଲେ ତାକୁ ମାରିବ କିଏ ? କାହାର ବଳ ତା ସଙ୍ଗେ ସମାନ ହେବ ? କୌରବମାନେ ନାନା ଉପାୟରେ ଭୀମକୁ ମାରିବାକୁ କୌଶଳ କରୁଥାନ୍ତି । କୌରବ ଓ ପାଣ୍ଡବ ଭାଇମାନେ ଏକତ୍ର ଖେଳ ଖେଳିବା ବେଳେ ଭୀମ ସବୁବେଳେ ସମସ୍ତଙ୍କୁ ହରାଇ ଦେଉଥିଲା । ଥରେ ଖେଳୁ ଖେଳୁ ଦୁର୍ଯ୍ୟୋଧନକୁ ଭୀମ ଏପରି ଜାବୁଡ଼ି ଧଇଲା ଯେ ଦୁର୍ଯ୍ୟୋଧନ ଏକାବେଳେ ଅଣନିଶ୍ୱାସୀ ହୋଇ ପଡ଼ିଲା । ଦୁର୍ଯ୍ୟୋଧନ ମନେ ମନେ ଭାରି ରାଗିଗଲା । ଗୁଡ଼ାଏ ବିଷଲଡ଼ୁ ତିଆରି କରି ଭୀମକୁ ଆଦର କରି ଖୁଆଇଲା । ସେଥିରେ ମଧ୍ୟ ଭୀମ ମଲାନାହିଁ । ଏହିପରି ନାନା ଉପାୟରେ ଭୀମକୁ ମାରି ନପାରି ସେମାନେ ମହା ଚିନ୍ତାରେ ପଡ଼ିଲେ । କିପରି ଭୀମ ମରିବ ଏହି କଳ୍ପନା ସବୁବେଳେ କରୁଥାନ୍ତି ।

 

ଦୁର୍ଯ୍ୟୋଧନ ଭାରି କପଟୀ । ସେ ବାରୁଣାବନ୍ତରେ ଛଣପଟ ଓ ଜଉରେ ଗୋଟେ ସୁନ୍ଦର ରାଜପୁରୀ ପରି ନବର ତୋଳାଇଲା । ସେଥିରେ ପାଣ୍ଡବମାନେ ରହିଲେ, ରାତିରେ ସେ ଘରକୁ ପୋଡ଼ି ସେମାନଙ୍କୁ ମାରିବେ ବୋଲି ପାଞ୍ଚକଲା । ଘରଟି ତୋଳା ସରିଲା । ଧୃତରାଷ୍ଟ୍ର ଯୁଧିଷ୍ଠିର ପ୍ରଭୃତି ପାଞ୍ଚ ଭାଇଙ୍କୁ ଡାକି କହିଲେ– ‘‘ହସ୍ତୀନାରେ ସମସ୍ତେ ଏକତ୍ର ରହିବାରୁ ଭାଇ ଭାଇ ଭିତରେ ସର୍ବଦା କଳି ଲାଗି ରହୁଛି । ତେଣୁ କୌରବମାନେ ହସ୍ତୀନାରେ ଓ ପାଣ୍ଡବମାନେ ବାରୁଣାବନ୍ତରେ ରହିବା ପାଇଁ ମୁଁ ବ୍ୟବସ୍ଥା କରିଛି ।’’ ପାଣ୍ଡବମାନେ ଏ କୁଟନୀତି ବୁଝିପାରିଲେ ନାହିଁ । ଆନନ୍ଦରେ ବାରୁଣାବନ୍ତରେ ଯାଇ ରହିଲେ । କିଛିଦିନ ରହିବା ପରେ କୌରବମାନଙ୍କର କୁଟନୀତି ଜଣାପଡ଼ିଲା-। ପାଣ୍ଡବମାନେ ଶ୍ରୀକୃଷ୍ଣଙ୍କୁ ସ୍ମରଣ କଲେ । ଶ୍ରୀକୃଷ୍ଣ ଆସି ସବୁ ଶୁଣିଲେ । ଗୋଟିଏ ସୁଡ଼ଙ୍ଗ ଖୋଳିବା କାରିଗରକୁ ଗୁପ୍ତରେ ଡାକିଲେ । ଜଉଘର ଠାରୁ ଗଙ୍ଗା ନଦୀର କୂଳଯାଏ ସେ ଗୋଟିଏ ସୁଡ଼ଙ୍ଗ ଖୋଳିଲା । ସୁଡ଼ଙ୍ଗ ଖୋଳାରୁ ଯେଉଁ ମାଟି ସବୁ ବାହାରୁ ଥାଏ ତାକୁ ଶ୍ରୀକୃଷ୍ଣଙ୍କ ଆଦେଶରେ ଦୁଇଟି ରାକ୍ଷସ ଗିଳି ଦେଉଥାନ୍ତି । କାମ ଏତେ ଗୋପନ କରାଯାଉଥାଏ ଯେ କୌରବମାନେ ତା’ର କୌଣସି ସନ୍ଧାନ ପାଇ ପାରୁ ନଥାନ୍ତି । ଦିନେ ରାତି ଅଧରେ ପାଣ୍ଡବମାନେ ଶୋଇଥିବା ବେଳେ ବାହାରୁ ଘରଦ୍ୱାର ବନ୍ଦ ରଖି କୌରବମାନେ ଜଉଘରେ ନିଆଁ ଲଗାଇଦେଲେ-। ଘରେ ନିଆଁ ଲାଗିବା କଥା ପାଣ୍ଡବମାନେ ଜାଣି ପାରିଲେ । ଭୀମ ତ ମହାବଳବାନ । ସେ ଯୁଧିଷ୍ଠିର ଓ ଅର୍ଜୁନଙ୍କୁ ଦୁଇ କାନ୍ଧରେ, ନକୁଳ ଓ ସହଦେବକୁ ଦୁଇ କାଖରେ ଏବଂ କୁନ୍ତୀଙ୍କୁ ମୁଣ୍ଡରେ ବସାଇ ସୁଡ଼ଙ୍ଗ ବାଟେ ପବନ ବେଗରେ ବାହାରି ଚାଲିଗଲେ ।

 

Image

 

ଗଙ୍ଗା କୂଳରେ ପହଞ୍ଚି ସେମାନେ ରାତାରାତି ଗୋଟିଏ ନୌକାରେ ନଦୀ ପାରିହେବାକୁ ଆରମ୍ଭ କଲେ । ଡଙ୍ଗାଟି ଅଧାନଈରେ ହୋଇଛି କି ନାହିଁ, ହଠାତ୍ ଅଟକି ଗଲା । କ’ଣ ହେଲା, କ’ଣ ହେଲା ବୋଲି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ନାଉରୀକୁ କାରଣ ପଚାରିବାରୁ ଜଣାଗଲା ଯେ ଗୋଟିଏ ବଳୁଆ କୁମ୍ଭୀର ଡଙ୍ଗାକୁ ଅଟକାଇ ଦେଇଛି । ଡଙ୍ଗାରେ ବସିଥିବା ଲୋକଙ୍କ ଭିତରୁ ଜଣକୁ ଖାଇଲେ ସେ ଡଙ୍ଗା ଛାଡିଦେବ । ପାଣ୍ଡବମାନଙ୍କର ବୁଦ୍ଧି ହଜିଗଲା । କଅଣ କରିବେ ? କାହାକୁ ଏବେ କୁମ୍ଭୀରକୁ ଦେବେ ? କିଏ କହିଲା– ନକୁଳକୁ ଦିଅ, କିଏ କହିଲା– ସହଦେବକୁ ଦିଅ, କିଏ କହିଲା– ଅର୍ଜୁନକୁ ଦିଅ, ଏହିପରି ବିଚାର ଚାଲିଲା । ଶେଷରେ ଭୀମକୁ ଦେବାକୁ କୁନ୍ତୀ କହିଲେ; କାରଣ ଭୀମ ବଳ ସେ ଜାଣନ୍ତି । କୁମ୍ଭୀର ଭୀମର କିଛି ଅନିଷ୍ଟ କରିପାରିବ ନାହିଁ । କଥା ସ୍ଥିର ହେବା କ୍ଷଣି ଭୀମ ଡଙ୍ଗାରୁ ଡେଇଁ ପଡିଲା । କୁମ୍ଭୀର ଜଗି ବସିଥିଲା । ସାଙ୍ଗେ ସାଙ୍ଗେ ଭୀମକୁ ଗିଳିଦେଲା । ଡଙ୍ଗାଟି ଅନ୍ୟ ଚାରି ଜଣକୁ ନେଇ ଚାଲିଗଲା । କୁମ୍ଭୀର ଭୀମକୁ ଗିଳିଦେଇ ଆଉ ଯାଏ କୁଆଡ଼େ, ଭୀମ କୁମ୍ଭୀରର ପେଟ ଭିତରେ ନିଜର ଦେହକୁ ବଢ଼ାଇବାରେ ଲାଗିଲା । ପେଟ ଭିତରେ ବିଧା ଓ ଗୋଇଠା ମାଡ଼ରେ କୁମ୍ଭୀର ପ୍ରାଣ ଛାଡ଼ିଗଲା । କୁମ୍ଭୀର ପେଟକୁ ଫଟାଇ ଭୀମ ପଦାକୁ ବାହାରି ପଡ଼ିଲା । ତାର ଚମଡ଼ାକୁ ବାହାର କରି ଦେହରେ ଘୋଡ଼େଇ ଜଙ୍ଗଲ ଭିତରେ ମା ଓ ଭାଇମାନଙ୍କୁ ଭେଟିଲା । କୁମ୍ଭୀର ଚମଡ଼ା ଭିତରେ ଭୀମ ପଶିଥିବାର କେହି ଜାଣି ନପାରି ସମସ୍ତେ ଭୟରେ ଥରି ଉଠିଲେ । ସେମାନେ ଭାବିଲେ–କୁମ୍ଭୀର ଭୀମକୁ ଖାଇ ପୁଣି ଆମ୍ଭମାନଙ୍କୁ ଖାଇବାପାଇଁ ଦଉଡ଼ି ଆସିଛି । ଭୀମ କୁମ୍ଭୀର ଖୋଳରୁ ବାହାରି ମାଆ ଓ ଭାଇମାନଙ୍କୁ ସବୁକଥା ଜଣାଇଲା । ସମସ୍ତ ଶୁଣି ଖୁସି ହେଲେ । ଭୀମ ପୁଣି ମା ଓ ଭାଇମାନଙ୍କୁ କାନ୍ଧ ଓ ମୁଣ୍ଡରେ ବସାଇ ବଣ ଭିତରେ ଚାଲିଲେ ।

 

ପ୍ରଶ୍ନ

 

୧.

ପାଣ୍ଡବମାନେ ଜଉଘରୁ କିପରି ରକ୍ଷା ପାଇଲେ ?

 

 

୨.

ଭୀମ କୁମ୍ଭୀରକୁ କିପରି ମାରିଲେ କୁହ ?

Image

 

ସିନ୍ଦୂର ବିନ୍ଦୂ

 

Image

 

ବିନ୍ଦୁଏ ମାତର ମଥାର ସିନ୍ଦୂର

ଭାରତ-ଲଳନା ସଧବା ଚିହ୍ନ,

ନ ଥାଏ ତାହାର ସେହି ଗଉରବ

ପୁରୁଷ କପାଳେ ପାଇଲେ ସ୍ଥାନ।

ଜାଣିଛ କି ତେବେ ତ୍ରେତୟା ଯୁଗର

ହନୁ ଅଙ୍ଗେ କିପାଁ ସିନ୍ଦୂର ଶୋହେ,

ପ୍ରବାଦ ଗୋଟିଏ ମୂଳେ ଥାଇ ତାର

ଗତ–ଯୁଗ କଥା ସୁଚାଇ ଦିଏ ।

ପ୍ରତାପୀ ରାକ୍ଷସ ରାବଣକୁ ମାରି

ବାହୁଡ଼ିଲେ ରାଜ୍ୟ ରଘୁନନ୍ଦନ,

ଜାନକୀଙ୍କୁ ଘେନି ସିଂହାସନ ପରେ

ହେଲା ଅଭିଷେକ ବିଧି ସମ୍ପନ୍ନ ।

ପରଦିନ ପ୍ରାତେଃ ଜନକ-ନନ୍ଦିନୀ

ବସନ, ଭୁଷଣେ ଦିଶନ୍ତି ଶୋଭା,

ମଥାମଣି ଉର୍ଦ୍ଧ୍ୱେ ସୀମନ୍ତେ ସିନ୍ଦୂର

ଦିଶୁଥାଏ ସତେ କି ମନଲୋଭା !

ବୀର ହନୁମାନ ଶ୍ରୀରାମ ଭକତ

ପ୍ରାତଃ ପ୍ରଣିପାତ କରିବା ଆଶେ,

ରାଣୀହଂସ ପୁରେ ହେଲେ ପରବେଶ

ସତୀ ଜାନକୀଙ୍କ ଚରଣ ପାଶେ ।

ପ୍ରଭୁ ପାଦଯୁଗ ଶ୍ରୀମୁଖ ରାଜିବ

ଭକତର ମୁକ୍ତିପଥ ଅଟଇ,

ସତୀ ପଦ ବନ୍ଦି ଅଞ୍ଜନା ନନ୍ଦନ

ଶ୍ରୀମୁଖ କମଳେ ଦେଲେ ଅନାଇଁ ।

ସିନ୍ଦୂରର ଗାର ଲଲାଟେ ନିରେଖି

ବୁଝି ନ ପାରି ସେ ରହସ୍ୟ ତାର,

ପୁଚ୍ଛିଲେ ଦେବୀଙ୍କୁ କାରଣ ଏହାର

ମନରୁ ସନ୍ଦେହ ହେବାକୁ ଦୂର ।

ସ୍ମିତ ହାସ୍ୟ ତୋଳି ଜନକ କୁମାରୀ

ଭାଷିଲେ– ମୋ ପ୍ରଭୁ ମଙ୍ଗଳ ପାଇଁ,

ମନାସି ତାଙ୍କର ଦୀର୍ଘ ପରମାୟୁ

କପାଳେ ସିନ୍ଦୂର ଘେନିଛି ମୁହିଁ ।

ଦେବୀଙ୍କ ଚରଣ ବନ୍ଦି ବୀର ହନୁ

ଅପସରି ତହୁଁ ଆସିଲେ ଧୀରେ,

ନିର୍ଜନରେ ବସି ସୀତାଙ୍କ ସୀମନ୍ତ

ସିନ୍ଦୂର ଗାରକୁ ଚିନ୍ତି ମନରେ ।

"ସାମାନ୍ୟ ସିନ୍ଦୂର ଗାରଟିରେ ଯେବେ

ଆୟୁ ବୃଦ୍ଧିହେବ ମୋ ପ୍ରଭୁଙ୍କର,

ସମଗ୍ର ଶରୀରେ ମୋହର ତେବେ ମୁଁ

ନ ଘେନିବି କାହିଁ ପାଇଁ ସିନ୍ଦୂର ?"

ଏତେ ଭାଳି ବୀର– ପବନ ନନ୍ଦନ

ସିନ୍ଦୂରଗୁଡ଼ାଏ ଆଣିଲେ ତ୍ୱରା,

ଲାଞ୍ଜଠାରୁ ଶିର ଯାଏ ବୋଳିହେଲେ

ସିନ୍ଦୂରିତ ହେଲା ଶରୀରସାରା ।

ରାଜ୍ୟ ପ୍ରଦକ୍ଷିଣ ସାରି ରାମଚନ୍ଦ୍ର

ଫେରି ଯାଉଥିଲେ ସେହି ମାର୍ଗରେ,

ସହସା ନୟନ ପଡ଼ିଲା ତାଙ୍କର

ସିନ୍ଦୂର ମଣ୍ଡିତ ହନୁ ଶରୀରେ ।

ବିସ୍ମୟ ପ୍ରକାଶି ରଘୁ କୁଳପତି

ପୁଚ୍ଛିଲେ ‘‘ହନୁ ହେ, ଏ କିସ କଥା ?

କି କାରଣେ ବୀର, ସାଜିଛ ଏସନ

ବିକୃତ ହେଲା କି ତୁମ୍ଭର ମଥା ?’’

ପ୍ରଭୁପାଦେ ନମି କପିକୁଳ ଶ୍ରେଷ୍ଠ

ଭାଷିଲେ ବିସ୍ତାରି ଜନନୀ ଗିର,

ତେଣୁ ଲେପିଅଛି ଶରୀରେ ସିନ୍ଦୂର

ପରମାୟୁ ବୃଦ୍ଧି ହେବ ତୁମ୍ଭର ।

ଅତି ଆନନ୍ଦରେ ସୂର୍ଯ୍ୟବଂଶ ରବି

ହୃଦୟେ ହନୁକୁ ଧରିଲେ ତୋଳି,

ଭାଷିଲେ ନିର୍ମଳ ଭକତିରେ ଭକ୍ତ !

ହୋଇଛୁ ଶରୀରେ ସିନ୍ଦୂର ବୋଳି ।

ଆଦେଶିଲି ମୁହିଁ ଆଜିଠାରୁ ତୋର

ଏହି ରୂପ ପାଉ ମନ୍ଦିରେ ପୂଜା,

ଚିରକାଳ ପାଇଁ ଭକତ ଗଣରେ

ଉଡ଼ୁ ଥାଉ ତୋର ଭକତି ଧ୍ୱଜା ।

 

ପ୍ରଶ୍ନ

 

୧.

ସଧବା ସ୍ତ୍ରୀମାନେ ସୀମନ୍ତରେ କାହିଁକି ଘେନନ୍ତି ?

 

 

୨.

ହନୁମାନର ପ୍ରଭୂଭକ୍ତି କିପରି ପ୍ରକାଶ ପାଇଲା ଲେଖ ।

Image

 

ଭକ୍ତିମତୀ

 

ବାପଘରକୁ ବୁଲି ଯାଇ ଝିଅ ଫେରୁଥାଆନ୍ତି । ସେ ବାଟରେ ଗୋଟିଏ ଶିବ ମନ୍ଦିର ଦେଖି ଦର୍ଶନ ପାଇଁ ଗଲେ । ମନ୍ଦିର ପାଖରେ ବେଲ ଗଛଟିଏ ଥାଏ । ଶିବ ଦର୍ଶନ ସାରି, ବେଲଗଛ ମୂଳରେ ଟିକିଏ ବିଶ୍ରାମ କଲେ । ବିଶ୍ରାମ କରୁ କରୁ ନିଦରେ ଅଳ୍ପ ସମୟ ପାଇଁ ଢୁଳାଇ ପଡ଼ିଲେ । ଛାଇ ନିଦରେ ତାଙ୍କୁ ଜଣାଗଲା ଯେ ବେଲଗଛରୁ ଛୋଟ ଝିଅଟିଏ ଓହ୍ଲାଇ ଆସି କହିଲା– ‘‘ମା, ମୁଁ ତୁମଘରକୁ ଯିବି ।" ନିଦ ଭାଙ୍ଗିଗଲା । କାହିଁ ? କେହି ତ ନାହିଁ ! ସେ ନିଜଘରକୁ ଫେରିଲେ । ଦଶମାସ ପରେ ତାଙ୍କର ଶୂନ୍ୟ ସଂସାର ହସିଉଠିଲା । ଶ୍ୟମାସୁନ୍ଦରୀଙ୍କର କଅଁଳା ଝିଅଟିଏ କୁଆଁ କୁଆଁ ରାବରେ ତାଙ୍କ ସଂସାରରେ ଆନନ୍ଦର ଜୁଆର ଖେଳାଇ ଦେଲା । ପିତା ରାମଚନ୍ଦ୍ର ଝିଅଟିର ନାଁ ଦେଲେ ସାରଦାମଣି ।

 

ଆମ ଓଡିଶାର ପଡୋଶୀ ରାଜ୍ୟ ବଙ୍ଗଳାରେ ବାଙ୍କୁଡ଼ା ବୋଲି ଗୋଟିଏ ଜିଲ୍ଲା ଅଛି। ସେହି ଜିଲ୍ଲାର ଜୟରାମ ବାଟି ଗ୍ରାମରେ ରାମଚନ୍ଦ୍ର ବାନାର୍ଜିଙ୍କ ଘର । ତାଙ୍କ ସ୍ତ୍ରୀଙ୍କ ନାମ ଶ୍ୟାମା ସୁନ୍ଦରୀ । ଗଛରେ ଫୁଲ ନଫୁଟିଲେ ଗଛଟି ଯେମିତି ସୁନ୍ଦର ଦିଶେ ନାହିଁ, ସଂସାରୀହୋଇ ସନ୍ତାନ ସନ୍ତତି ନ ଥିଲେ ସଂସାର ସେହିପରି ସୁନ୍ଦର ବା ସୁଖ ଲାଗେ ନାହିଁ । ସନ୍ତାନ ନଥିବାରୁ ରାମଚନ୍ଦ୍ର ଓ ଶ୍ୟାମା ସୁନ୍ଦରୀଙ୍କ ମନରେ ସୁଖ ନଥିଲା । ଆକାଶରେ ପୁନେଇଁ ଚାନ୍ଦ ଉଇଁଲା ପରି ସାରଦାଙ୍କ ଜନ୍ମରେ ତାଙ୍କ ସଂସାର ହସି ଉଠିଲା ।

 

ପିଲାଦିନୁ ସାରଦାଙ୍କର ଭବିଷ୍ୟତ ଜୀବନର ପରିଚୟ ମିଳୁଥିଲା । ସବୁବେଳେ ହସ ହସ ମୁହଁ । କେତେବେଳେ ମନରେ ଦୁଃଖ ନଥାଏ । ଖେଳ ଭିତରେ ତାଙ୍କର ସବୁଠାରୁ ପ୍ରିୟ ଖେଳଥିଲା ମାଟିରେ ଠାକୁର ଗଢ଼ି ଫୁଲ ଦେଇ ପୂଜାକରିବା । ପିଲା ଦିନରୁ ତାଙ୍କର ଏପରି ଭାବ ଦେଖି ସମସ୍ତେ ବିସ୍ମିତ ହେଉଥିଲେ ।

 

ତାଙ୍କ ସମୟରେ ଝିଅଙ୍କୁ କେହି ପାଠ ପଢ଼ାଉ ନ ଥିଲେ । ସାରଦାଙ୍କର କିନ୍ତୁ ପାଠପଢ଼ାରେ ଭାରି ମନ, ଚାଟଶାଳୀକୁ ଯାଉଥିବା ପିଲାଙ୍କର ବହି, ସ୍ଲେଟ ମାଗିଆଣି ସେ ଦେଖୁଥିଲେ ।

 

ସେତେବେଳେ ବାହ୍ମଣ ପିଲାମାନଙ୍କୁ ଅତି ଅଳ୍ପ ବୟସରୁ ବିବାହ କରିଦେଉଥିଲେ । ଛଅ ବର୍ଷ ବୟସରେ ସାରଦାଙ୍କର ପିତା, ତାଙ୍କୁ ଗଦାଧରଙ୍କ ସଙ୍ଗେ ବିବାହ କରିଦେଲେ ।

 

କଲିକତାର ଦକ୍ଷିଣେଶ୍ୱର କାଳୀ ମନ୍ଦିରର ପୂଜକ ଗଦାଧର ଦେବୀଙ୍କର ପରମଭକ୍ତ । କାଳୀପୂଜା କଲାବେଳେ ତାଙ୍କର ବାହାର ଜ୍ଞାନ ରହେ ନାହିଁ । ତାଙ୍କର ପୂଜାରେ କାଳି ସନ୍ତୋଷ ହୋଇ ତାଙ୍କୁ ଦେଖାଦିଅନ୍ତି । ଏକଥା ଚାରିଆଡ଼େ ଜଣାପଡ଼ିବାରୁ ଲୋକେ ତାଙ୍କୁ ଶ୍ରୀ ଶ୍ରୀ ରାମକୃଷ୍ଠ ପରମହଂସ ବୋଲି ଡାକିଲେ ।

 

ବିବାହର କିଛିଦିନ ପରେ ସାରଦା ବାପଘରକୁ ଫେରି ଆସିଲେ । ଚାହୁଁ ଚାହୁଁ ତାଙ୍କୁ ଚଉଦ ବର୍ଷ ହେଲା । ସେ ଶାଶୁଘରକୁ ଗଲେ । ମାଆଙ୍କ ଅନୁରୋଧରେ ରାମକୃଷ୍ଣ ମଧ୍ୟ ଘରକୁ ଆସିଲେ । ପତି ଦେବତାଙ୍କ ଦର୍ଶନ କରି ଏବଂ ତାଙ୍କ ଶରୀରରେ ଦେବ ତେଜ ଦେଖି ସାରଦାଙ୍କ ମନରେ ପରିବର୍ତ୍ତନ ଘଟିଲା । ସେ ସ୍ୱାମୀଙ୍କଠାରୁ ଧର୍ମ ଉପଦେଶ ଶିଖିଲେ । ସ୍ୱାମୀଙ୍କର ଉପଦେଶକୁ ଦେବ ଆଜ୍ଞା ପରି ମନେରଖି ଚଳିଲେ । ରାମକୃଷ୍ଣ ଅଳ୍ପ କେତେ ଦିନ ରହି ପୁଣି ଦକ୍ଷିଣେଶ୍ୱର ଫେରି ଆସିଲେ ।

 

ଚାରିବର୍ଷ କଟିଗଲା । ଆଉ ସ୍ୱାମୀଙ୍କ ସଙ୍ଗେ ସାରଦାଙ୍କ ଭେଟ ହେଲା ନାହିଁ । ସେତେବେଳେ ଆମ ଦେଶର ରେଳ ବା ମୋଟର ନ ଥିଲା । ଲୋକେ ଦୂରସ୍ଥାନକୁ ଚାଲିକରି ଯାଉଥିଲେ । ଗାଁର ଦଳେ ସ୍ତ୍ରୀ ଲୋକ ଗଙ୍ଗାସ୍ନାନ କରିବାକୁ ବାହାରିଥାନ୍ତି, ସାରଦାଙ୍କର ସ୍ୱାମୀଙ୍କୁ ଦର୍ଶନ କରିବାକୁ ବଡ଼ ଇଚ୍ଛାହେଲା । ସେ ତାଙ୍କ ପିତାଙ୍କୁ ସଙ୍ଗରେ ନେଇ ସେହି ସ୍ତ୍ରୀ ଲୋକମାନଙ୍କ ସହ ଚାଲିଲେ । ବାଟରେ ତାଙ୍କୁ ପ୍ରବଳ ଜ୍ୱର ହେଲା । ସେ ଗୋଟିଏ ଚଟି ଘରେ ବିଶ୍ରାମ କଲେ । କ୍ରମେ ସେ ଜ୍ୱର ଜ୍ୱାଳାରେ ଅଚେତ ହୋଇ ପଡ଼ିଲେ । ସେ ଅଚେତ ଅବସ୍ଥାରେ ଅନୁଭବ କଲେ– ଗୋଟିଏ ବାଳିକା ତାଙ୍କ ମୁଣ୍ଡ ପାଖରେ ବସି ତାଙ୍କୁ ଆଉଁସି ଦେଉଛି । ସେ ପଚାରିଲେ– ‘‘ତୁମେ କିଏ ?’’ ବାଳିକାଟି ଉତ୍ତର ଦେଲା– ମୁଁ ପରା ତୁମ ଭଉଣୀ । ମୁଁ ଦକ୍ଷିଣେଶ୍ୱରରୁ ତୁମକୁ ଦେଖିବାକୁ ଆସିଛି । ସାରଦା ତାଙ୍କୁ ସ୍ୱାମୀଙ୍କ ଖବର ପଚାରିଲେ, ବାଳିକାଟି ଉତ୍ତର କଲା– ‘‘ତୁମେ ତ ଯିବ । ଗଲେ ତାଙ୍କୁ ଦେଖିବ ଯେ ।’’ ସକାଳୁ ଉଠି ଦେଖନ୍ତି ତ ତାଙ୍କୁ ଜ୍ୱର ଛାଡ଼ିଯାଇଛି । ବାପା ଝିଅ ଦୁହେଁ ଦକ୍ଷିଣେଶ୍ୱରରେ ପହଞ୍ଚିଲେ । ରାମକୃଷ୍ଣଙ୍କର ମାତା ଦକ୍ଷିଣେଶ୍ୱରରେ ରହୁଥାଆନ୍ତି । ସାରଦା ତାଙ୍କ ପାଖରେ ରହିଲେ । ସର୍ବଦା ସ୍ୱାମୀଙ୍କ ଠାରୁ ଧର୍ମ ଉପଦେଶ ପାଇ ତାଙ୍କ ପ୍ରାଣ ଭଗବତ୍‌ ପ୍ରେମରେ ଭରି ଉଠିଲା । ଦିନେ କାଳୀଙ୍କ ପୂଜା ସାରି ସାରଦା ଓ ରାମକୃଷ୍ଣ ରାତି ଦ୍ୱିପହର ପର୍ଯ୍ୟନ୍ତ ଧ୍ୟାନରେ ବସିଲେ । ଧ୍ୟାନରୁ ଉଠି ସାରଦା ସ୍ୱାମୀଙ୍କୁ ପ୍ରଣାମ କରି ବାହାରକୁ ଆସିଲେ । ସେହି ଦିନଠାରୁ ତାଙ୍କ ଦେହରେ ଗୋଟିଏ ଅପୂର୍ବ ତେଜ ଦେଖାଦେଲା ।

 

ସାରଦାଙ୍କର ମା ଶ୍ୟାମାସୁନ୍ଦରୀ ସାରଦାଙ୍କୁ ନିଃସନ୍ତାନ ଦେଖି ବଡ଼ ଦୁଃଖିତ ହେଉଥିଲେ-। ରାମକୃଷ୍ଣ ଏକଥା ଜାଣି ଦିନେ ସାରଦାଙ୍କୁ ଡାକି କହିଲେ– ‘‘ମା ହୋଇ ନାହଁ ବୋଲି ଦୁଃଖ କରୁଛ-? ଆଉ କେତେ ଦିନପରେ ମା, ମା, ଡାକ ଶୁଣି ଅଥୟ ହୋଇ ପଡ଼ିବ ।" ତାଙ୍କର କଥା ସତ ହେଲା । କ୍ରମେ ସାରଦା ହଜାର ହଜାର ଭକ୍ତଙ୍କର ମା ହୋଇ ପଡ଼ିଲେ । ମା, ମା, ଡାକରେ ଭକ୍ତ ତୃପ୍ତ ନ ହୋଇ ତାଙ୍କୁ ଶ୍ରୀ ଶ୍ରୀ ମା ବୋଲି ଡାକିଲେ । ରାମକୃଷ୍ଣ କ୍ରମେ ସାରଦାଙ୍କୁ କାଳୀଙ୍କର ସମସ୍ତ ପୂଜା, ଜପ ଓ ମନ୍ତ୍ର ଶିଖାଇଦେଲେ । ମା' ଙ୍କର ଅସଂଖ୍ୟ ଭକ୍ତ ଦେଖାଦେଲେ । ଭକ୍ତମାନଙ୍କୁ ସେ ପୁଅ ପରି ଭଲ ପାଉଥିଲେ । ରାମକୃଷ୍ଣଙ୍କର ସେବା କରି ସେ ନିଜ ହାତରେ ଭକ୍ତମାନଙ୍କୁ ପ୍ରସାଦ ବାଣ୍ଟନ୍ତି । ରାମକୃଷ୍ଣ କହନ୍ତି–ସେମାନେ ଧ୍ୟାନ ଓ ଜପ କରିବାକୁ ଆସିଛନ୍ତି, ତାଙ୍କୁ ଏତେ ଖୁଆଉଛ କାହିଁକି ? ସାରଦା କହନ୍ତି– ‘‘ମା ହୋଇ ମୁଁ ପିଲାଙ୍କ ପେଟ କଥା ନବୁଝିଲେ ଆଉ କିଏ ବୁଝିବ ?’’

 

Image

 

୧୮୮୫ ମସିହାରେ ରାମକୃଷ୍ଣ ଶରୀର ତ୍ୟାଗ କଲେ । ଶରୀର ଛାଡ଼ିବା ପୂର୍ବରୁ ସେ ସାରଦାଙ୍କୁ କହିଲେ–‘‘ମୁଁ ଶରୀର ଛାଡ଼ିବା ପରେ, ତୁମେ ଶରୀର ଛାଡ଼ିବ ନାହିଁ । ତୁମ ପାଇଁ ବହୁତ କାମ ଅଛି ।

 

ରାମକୃଷ୍ଣ ଚାଲିଯିବା ପରେ ସେ ଭକ୍ତମାନଙ୍କ ସଙ୍ଗରେ ତୀର୍ଥ ଭ୍ରମଣ ଓ ଧର୍ମ ଉପଦେଶ ଦେବାକୁ ଲାଗିଲେ । ଅକ୍ଳାନ୍ତ ପରିଶ୍ରମ ଫଳରେ ତାଙ୍କର ସ୍ୱାସ୍ଥ୍ୟ ଭାଙ୍ଗିଗଲା । ଭକ୍ତମାନେ ଶ୍ରୀ ମା’ଙ୍କର ସ୍ୱାସ୍ଥ୍ୟପାଇଁ ମନପ୍ରାଣ ଢାଳି ଯତ୍ନ କଲେ ମଧ୍ୟ ତାଙ୍କୁ ରଖିପାରିଲେ ନାହିଁ । ରାମକୃଷ୍ଣଙ୍କର ଦେହତ୍ୟାଗର ଚଉତ୍ରିଶ ବର୍ଷପରେ ଶ୍ରୀ ଶ୍ରୀ ମା’ ଅମର ଧାମର ଯାତ୍ରୀ ହେଲେ ।

 

ପ୍ରଶ୍ନ

 

୧.

ସାରଦାମଣୀଙ୍କର ପରିଚୟ ଦିଅ ?

 

 

୨.

ସାରଦାମଣୀଙ୍କୁ ଚଟିଘରେ କିଏ ଆଉଁସି ଦେଲା ବୋଲି ତୁମେ ଭାବିଛ ?

Image

 

ବିଜୟିନୀ

 

ତିନି ଶହ ବର୍ଷରୁ ବେଶି ହେବ । ଆମ ଦେଶ ଓଡ଼ିଶାରେ ବର୍ଗିମାନେ ମାତିଥାନ୍ତି । ଆମ ଓଡ଼ିଶାର ନରସିଂହପୁର ରାଜଦରବାରରେ ଭାନୁ ମଙ୍ଗରାଜ ବୋଲି ଜଣେ ଚତୁର ଓ ବଳବାନ ସେନାପତି ଥା’ନ୍ତି । ନରସିଂହପୁରକୁ ବର୍ଗି ଅତ୍ୟାଚାରରୁ ରକ୍ଷା କରିବାପାଇଁ ସେ କୂଟନୀତି ଧରି ବର୍ଗିମାନଙ୍କ ସଙ୍ଗେ ମିଳିମିଶି ଚଳୁଥାନ୍ତି । କଥା ତ ସବୁଦିନେ ଲୁଚି ରହେନାହିଁ । ମଙ୍ଗରାଜଙ୍କର କୌଶଳ ବର୍ଗିମାନେ ଜାଣିପାରିଲେ । ସେମାନେ ରାଗରେ ଜଳି ଉଠି ମଙ୍ଗରାଜ ବଂଶ ଧ୍ୱଂସ କରିବାକୁ ବାହାରିଲେ ।

 

ମଙ୍ଗରାଜଙ୍କର ପୁଅ ମୁକୁନ୍ଦ । ଦେହରେ ସାତଟା ସିଂହର ବଳ । ମୁକୁନ୍ଦର ସ୍ତ୍ରୀ ମାଳତୀ– ମେବାର ରାଜ୍ୟର ଝିଅ, କ୍ଷତ୍ରିୟ ରକ୍ତରେ ଶରୀର ଗଢ଼ା । ବର୍ଗିମାନଙ୍କର ଆକ୍ରମଣ ଖବର ପାଇ ମଙ୍ଗରାଜେ ତାଙ୍କ ପୁଅ ବୋହୂଙ୍କୁ ଡାକି କହିଲେ– ଇଷ୍ଟଦେବୀଙ୍କୁ ସ୍ମରଣ କରି ତୁମ୍ଭେମାନେ ଶୀଘ୍ର ଘୋଡ଼ାରେ ଚଢ଼ି ବଣକୁ ଯାଇ ଆତ୍ମରକ୍ଷା କର । ମୁଁ ଘରେ ରହି ବର୍ଗିମାନଙ୍କୁ ବାଧା ଦେବି । ବାଟରେ ଯାଉ ଯାଉ ଯଦି ଶତ୍ରୁ କବଳରେ ପଡ଼ିବ, ତେବେ ଦେହର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଯୁଦ୍ଧ କରିବ ।

 

ମାଳତୀ ବୀରାଙ୍ଗନା, ହେଲେ ନଅ ମାସର ଗର୍ଭବତୀ ଅବସ୍ଥାରେ ଘୋଡ଼ାରେ ଚଢ଼ି କିପରି ଯିବେ ? ତାଙ୍କର ଭାଳେଣି ପଡ଼ିଲା । ମାନ ମହତକୁ ଜଗି ସ୍ୱାମୀଙ୍କ ସଙ୍ଗେ ଧୀରେ ଧୀରେ ଘୋଡ଼ାରେ ବସିଲେ । ନିର୍ଜନ, ନିକାଞ୍ଚନ ଜଙ୍ଗଲ ଭିତରେ ଘୋଡ଼ା ଦୌଡ଼ୁଥାଏ । କିଛି ଦୂର ଯିବାପରେ ମାଳତୀଙ୍କର ଗର୍ଭକଷ୍ଟ ଆରମ୍ଭହେଲା । ସ୍ୱାମୀ ତାଙ୍କର କଷ୍ଟ ବୁଝିପାରି ଘୋଡ଼ା ଅଟକାଇଲେ । ଜଙ୍ଗଲରେ ବହଳିଆ ପତ୍ର ବିଛଣା କରି ମାଳତୀଙ୍କୁ ଶୁଆଇ ଦେଲେ । ଯନ୍ତ୍ରଣାରେ ମାଳତୀ ଅଚେତା ହୋଇ ପଡ଼ିଲେ । ସେହି ଅଚେତ ଅବସ୍ଥାରେ ବଳାଙ୍ଗୀ ବାଉଁଶ ବଣରେ ତାଙ୍କର ଝିଅଟିଏ ଜନ୍ମହେଲା । ମୁକୁନ୍ଦଙ୍କର ବୁଦ୍ଧି ହଜିଗଲା । କିଛି ସମୟ ପରେ ସେ ମନରେ ବଳ ବାନ୍ଧିଲେ-। ପତ୍ରଠୋଲାରେ ଝରଣାରୁ ପାଣି ଆଣି ମାଳତୀଙ୍କର ମୁହଁରେ ସିଞ୍ଚିଲେ । ମାଳତୀ ଚେତନା ପାଇ ପିଲାଟିକୁ କୋଳକୁ ନେଇ ଦମ୍ଭର ସହିତ ସ୍ୱାମୀଙ୍କୁ କହିଲେ– ‘‘ଏଥର ଚାଲ ।’’

 

ଅଠର ବର୍ଷର ଯୁବତୀ ମାଳତୀ । ମେବାର ଦେଶର ରକ୍ତ ଓ ପାଣିପବନରେ ତାଙ୍କର ଶରୀର ଗଢ଼ା । ସେ ପୁଣି ବିପଦରେ କାତର ହେବେ ? ଦୁହେଁ ଘୋଡ଼ାରେ ବସିଲେ । ଘୋଡ଼ା ଛୁଟିଲା । ଅଳ୍ପବାଟ ଯାଇଛନ୍ତି, ସେମାନେ ବଣହାତୀଙ୍କ ହାବୁଡ଼ରେ ପଡ଼ିଲେ । କନ୍ଧମାନଙ୍କ ବିକଟ ବୋବାଳିକୁ ହାତୀମାନେ ଡରନ୍ତି । ସାହସର ସହିତ ସ୍ୱାମୀ ସ୍ତ୍ରୀ କନ୍ଧମାନଙ୍କ ପରି ରଡ଼ି ଛାଡ଼ିଲେ । ହାତୀମାନେ ଡରରେ ବାଟ ଭାଙ୍ଗି ପଳାଇଲେ । ହାତୀଗୁଡ଼ାକ ଚାଲିଗଲେ ସିନା, ମାତ୍ର ବର୍ଗିମାନେ ଜଙ୍ଗଲ ଭିତରକୁ ମାଡ଼ି ଆସିଲେ । ବୁଦ୍ଧି ଜହିଗଲା । କ’ଣ କରିବେ ? ମୁକୁନ୍ଦ ଖଣ୍ଡାଧରି ଘୋଡ଼ା ପିଠିରୁ ଓହ୍ଳାଇ ପଡ଼ିଲେ । ବର୍ଗିମାନେ ମାଳତୀଙ୍କୁ ଦେଖି ଦେବୀ କି ମାନବୀ ବୋଲି ବାରି ପାରିଲେ ନାହିଁ । ଗୋଟାଏ ଦୁଷ୍ଟ ବର୍ଗି ମାଳତୀଙ୍କ ଆଡ଼କୁ ମାଡ଼ି ଆସିଲା । ମୁକୁନ୍ଦ ରାଗରେ ଅସମ୍ଭାଳ ହୋଇ ଏକ ଚୋଟରେ ତାକୁ ଦି’ଖଣ୍ଡ କରି ଦେଲେ ଏବଂ ତାର ଖଣ୍ଡାଟି ମାଳତୀଙ୍କ ହାତରେ ଧରାଇ ଦେଲେ । ଏଥର ମାଳତୀଙ୍କର ସାହସ ବଢ଼ିଗଲା । ଶିଶୁକନ୍ୟାଟିକୁ କାନିରେ ପୂରାଇ କମରରେ ଦୃଢ଼ରୂପେ ବାନ୍ଧି ଛିଡ଼ା ହେଲେ । ଗୋଟି ଗୋଟି କରି ସାତଟି ବର୍ଗି ମୁକୁନ୍ଦ ମାରି ସାରିଲେଣି । ଗୋଟିଏ ବର୍ଗି କୌଶଳରେ ମୁକୁନ୍ଦଙ୍କ ହାତରୁ ଖଣ୍ଡାଟି ଛଡ଼ାଇ ନେଲା । ସେ ଭାଲି ଧରି ଲଢ଼ୁଥାନ୍ତି । ମାଳତୀ ଏଥର ସହି ପାରିଲେ ନାହିଁ । ଖଣ୍ଡା ଝଲସାଇ ବର୍ଗିଙ୍କ ଆଡ଼କୁ ଚମକି ଗଲେ । କଦଳୀବଣରେ ହାତୀ ପଶିଲା ପରି ବର୍ଗି ସୈନ୍ୟମାନଙ୍କୁ ହାଣି ପକାଇଲେ । ସ୍ତ୍ରୀ ପୁରୁଷଙ୍କର ଯୁଦ୍ଧ କୌଶଳ ଦେଖି କେତେକ କାପୁରୁଷ ବର୍ଗି ଲୁଚି ପଳାଇଲେ ।

 

Image

 

ଯୁଦ୍ଧ ଶେଷ ପରେ ମାଳତୀ ନିଜ କମରରୁ ଶିଶୁଟିକୁ କାଢ଼ି ଦେଖିଲେ । ବୀରଶିଶୁ ଶତ୍ରୁ ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ମା’ର କମର ଭିତରେ ଘାଲେଇ ପଡ଼ିଥାଏ । ଯୁଦ୍ଧରେ ଜୟକରି ମାଳତୀ ଓ ମୁକୁନ୍ଦ ଘୋଡ଼ା ଛୁଟାଇ ଚାଲିଗଲେ । ଜଙ୍ଗଲ ଭିତରେ ଘୋଡ଼ା ଛୁଟିଛି । ପୁଣି ଘୋଡ଼ା ଟାପୁ ଶବ୍ଦ ଶୁଭିଲା । ଅସଂଖ୍ୟ ବର୍ଗି ଖବର ପାଇ ଧାଇଁ ଆସିଲେ । ମୁକୁନ୍ଦ ଭୟରେ କାତର ହୋଇ ପଡ଼ିଲେ । ମାଳତୀଙ୍କର ହାତକୁ ଧରି ଓ ଶିଶୁଟିକୁ ଚୁମ୍ବନ ଦେଇ କହିଲେ– ‘‘ଏହା ମୋର ଶେଷ ଦେଖା । ବଞ୍ଚିଥିବା ଯାଏ ନାରୀର ଗୌରବ ରଖିବ ଓ ଶିଶୁଟିକୁ ମଣିଷ କରିବ ।’’ କଥା ଶେଷ ନ ହେଉଣୁ ବର୍ଗିମାନେ ମାଡ଼ିଆସିଲେ । ମୁକୁନ୍ଦ ଅଳ୍ପ ଦୂରରେ ନେଇ ମାଳତୀଙ୍କୁ ଛାଡ଼ିଆସି କହିଲେ–ଏଥର ଘୋଡ଼ା ଦୌଡ଼ାଇ ଚାଲିଯାଅ । ମାଳତୀ କିନ୍ତୁ ଯୁଦ୍ଧକ୍ଷେତ୍ରରୁ ପାଦେ ଘୁଞ୍ଚିଲେ ନାହିଁ । ମୁକୁନ୍ଦ ଓ ବର୍ଗିମାନଙ୍କ ମଧ୍ୟରେ ପ୍ରବଳ ଯୁଦ୍ଧ ଚାଲିଲା । ଯୁଦ୍ଧରେ ବର୍ଗିମାନେ ମୁକୁନ୍ଦଙ୍କୁ ଗଡ଼ ଗଡ଼ କରି ହାଣି ପକାଇଲେ ।

 

ବୀରା ନାରୀ ମାଳତୀ ଆଉ ସହିପାରିଲେ ନାହିଁ । କାଳଭୈରବୀ ରୂପ ଧରି ଯୁଦ୍ଧକୁ ଡେଇଁ ପଡ଼ିଲେ । ଆଖିର ପଲକମାତ୍ରକେ ଅସଂଖ୍ୟ ବର୍ଗିଙ୍କର ପ୍ରାଣ ନାଶ କରିପକାଇଲେ ଓ ନିଜର ସତୀତ୍ୱ ଏବଂ ଗୌରବକୁ ଉଜ୍ଜ୍ୱଳିତ କରି ଦେଶ ଆଗରେ ରଖିଗଲେ ।

 

ପ୍ରଶ୍ନ

 

୧.

ମାଳତୀ କିଏ ?

 

 

୨.

ସେ କିପରି ଗୌରବ ଅର୍ଜନ କଲେ ?

Image

 

ବିପ୍ଳବିନୀ

 

ଦିନ ଚାଲିଯାଏ ମନରୁ ସବୁରି

ଘଟଣା ଯାଏ ପାଶୋର,

କୀରତି କେବଳ ନ ଭୁଲନ୍ତି ମନୁ

ଝୁରି ହେଉଥାନ୍ତି ନର ।

ରାଣୀ ଦୁର୍ଗାବତୀ, ପଦ୍ମିନୀ କୀରତି

ଭୁଲିନାହିଁ ଇତିହାସ,

ମାତଙ୍ଗିନୀ ଗାଥା ସେହିପରି ଆଜି

ଘୋଷଅଛି ସାରା ଦେଶ ।

ଦେଶ ମୁକ୍ତିପାଇଁ ସଇନୀକ ପଣେ

ଜୀବନ ଦେଲେ ସେ ବଳି,

ଅସୀମ ସାହସ ସୁମରି ତାଙ୍କର

ଛାତି ଏବେ ଯାଏ ଫୁଲି ।

ମେଦିନୀପୁରର ହୋଗଲା ଗ୍ରାମେ ସେ

ଠାକୁର ଦାସଙ୍କ ସୁତା,

ଅତି ବାଲ୍ୟ କାଳେ ବୃଦ୍ଧ ତ୍ରିଲୋଚନେ

ଅରପିଲେ ତାଙ୍କୁ ପିତା ।

ଅଠର ବରଷେ ଦେବୀ ମାତଙ୍ଗିନୀ

ଭୋଗିଲେ ବିଧବା ଦୁଃଖ,

ଦେଶସେବା ପ୍ରତି ବଳାଇଲେ ମତି

ମଣି ଜୀବନର ସୁଖ ।

ଦେଶ ମୁକ୍ତି ପାଇଁ ସହିଲେ କଷଣ

ବରିଲେ ସେ କାରାଗାର,

ଭାରତ ମାତାର ଜୟଗାନ ଗାଇ

ବିପ୍ଳବେ ହେଲେ ବାହାର ।

ପଟୁଆର ସଙ୍ଗେ ଦଖଲ କରିବେ

ରାଜ ସରକାର ଥାନା,

ବଜ୍ର ସ୍ୱରେ ଦେବୀ ଛାଡ଼ନ୍ତି କୁହାଟ

ଉଡ଼ାରେ ସ୍ୱାଧୀନ ବାନା

ଯେତେ ଲହୁଖିଆ ଇଂରେଜ ସିପାହୀ

ଶୋଷନ୍ତି ଆମରି ରକ୍ତ,

ଆମ ଦେଶ ଲୋକେ ଇଂରେଜ ଗୋଲାମୀ

କରୁଛନ୍ତି ହୋଇ ଭକ୍ତ ।

ଜାଗରେ ଜାଗରେ ମୋ ଦେଶର ବୀର

ଥାନାକୁ କରିବା ଲୁଟି,

ମୁକତି ସେନାଏ ଥାନା ଘେରି ଗଲେ

ଚାଲିଲା ସିପାହୀ ଲାଠି ।

ଲାଠି ମାଡ଼ ଖାଇ ଆହତ ହୋଇଲେ

ଅସଂଖ୍ୟ ବିପ୍ଳବୀ ସୈନ୍ୟ,

ଉଚ୍ଚସ୍ୱରେ ଦେବୀ ବଜାଇଲେ ଶଙ୍ଖ

ଗାଇ ବିପ୍ଳବର ଗାନ ।

ଗୁଡ଼ୁମ୍‌, ଗୁଡ଼ୁମ୍‌ ଶବଦ ଶୁଭିଲା

ପୁଲିସ୍‌ ଚାଳିଲେ ଗୁଳି,

ବଜ୍ର ବେଗେ ଆସି ମାତଙ୍ଗିନୀଙ୍କର

ବାମ ହାତେ ଗଲା ଗଳି ।

ଦକ୍ଷିଣ ହାତଟି ଉର୍ଦ୍ଧ୍ୱକୁ ଉଠାଇ

ଉଡ଼ାନ୍ତେ ପତାକା ଗୋଟି,

ନିମିଷ ମଧ୍ୟରେ ପୁଣି ଏ ହାତରେ

ଗୁଳି ଏକ ଗଲା ଫୁଟି ।

ନଦୀ ସ୍ରୋତପରି ବହିଲା ରକତ

ରାଜ ଦାଣ୍ଡ ଧୂଳି ପରେ,

ତଥାପି ଡାକଇ ବୀରା ମାତଙ୍ଗିନୀ

ଶୋଷକ ବିଦେଶୀ ଆରେ !

ଆମରି ଲହୁରେ, ଆମରି ଲୁହରେ

ଗଢ଼ିଛ ତୁମରି କୋଠି,

ଝଡ଼କୁ କେବେ ରେ ରୋଧି ପାରିବ କି

ଚଳାଇ ତୁମରି ଲାଠି ?

ତୃତୀୟ ଗୁଳିଟି ଏହି ସମୟରେ

ସମ୍ମୁଖରୁ ଆସି ଖରେ,

ଭେଦିଗଲା ଆହା ବୀରା ନାରୀଙ୍କର

ଉନ୍ନତି ଲଲାଟ ପରେ ।

ଭୂମିରେ ଶୋଇଲେ ଚିରଦିନ ପାଇଁ

ବିଜୟିନୀ ବୀରା ନାରୀ,

ଯୁଗ ଯୁଗ ପାଇଁ ଭାରତୀୟେ ତାଙ୍କୁ

ହେଉଥିବେ ସିନା ଝୁରି ।

 

ପ୍ରଶ୍ନ

 

୧.

ମାତଙ୍ଗିନୀ ଦେବୀ ଦେଶପାଇଁ କଅଣ କରିଛନ୍ତି ?

 

 

୨.

ତାଙ୍କର କିପରି ମୃତ୍ୟୁ ହେଲା ବର୍ଣ୍ଣନା କର ।

Image

 

ସାଧୁ ଜିଣିଲେ

 

ପୂର୍ବେ ବାରାଣସୀରେ କଲାବୁ ନାମରେ କାଶୀରାଜା ରାଜତ୍ୱ କରୁଥିଲେ । ସେହି ସମୟରେ ବୋଧିସତ୍ତ୍ୱ ଆସି କୋଟି ଧନର ଅଧିପତି ଜଣେ ବ୍ରାହ୍ମଣଙ୍କ ଘରେ ଜନ୍ମ ହୋଇଥିଲେ । ତାଙ୍କର ନାମ ଥିଲା କୁଣ୍ଡକୁମାର । ସେ ଯୁବକ ବୟସରେ ତକ୍ଷଶୀଳାରେ ନାନା ଶିଳ୍ପବିଦ୍ୟା ଶିକ୍ଷା କରିଥିଲେ । ପିତାମାତାଙ୍କ ମୃତ୍ୟୁପରେ ସେ ଭାବିଲେ–‘‘ପିତାମାତା ଅଜସ୍ର ଅର୍ଥ ରଖି ସୁଦ୍ଧା ବେଳକୁ ଧନ ତାଙ୍କର କିଛି ପ୍ରୟୋଜନ ହେଲାନାହିଁ । ଅତଏବ ଏ ସବୁ ଧନ ମୋର କ’ଣ ହେବ ?’’ ଏହା ଭାବି ସେ ସମସ୍ତ ଧନ ବିତରଣ କରିଦେଲେ । ନିଜେ ହିମାଳୟକୁ ଯାଇ ତପସ୍ୟା କଲେ । ହିମାଳୟରେ କିଛିଦିନ ତପସ୍ୟା କଲାପରେ ତାଙ୍କର ଲୁଣ ଖାଇବାକୁ ଇଚ୍ଛା ହେଲା । ସେ ବାରାଣସୀକୁ ଫେରି ଆସିଲେ । ଦିନେ ନଗରରେ ଭିକ୍ଷା କରୁ କରୁ ସେହିରାଜ୍ୟର ସେନାପତିଙ୍କ ଦ୍ୱାରରେ ପହଞ୍ଚିଲେ । ସେନାପତି ତାଙ୍କୁ ସମ୍ମାନର ସହିତ ଆଦର ଅଭ୍ୟର୍ଥନା କରି ରାଜ ଉଦ୍ୟାନରେ ନେଇ ରଖାଇଲେ ।

 

ଦିନେ ରାଜା କଲାବୁ ମଦ୍ୟପାନରେ ମତ୍ତହୋଇ ନର୍ତ୍ତକୀମାନଙ୍କ ସଙ୍ଗରେ ଉଦ୍ୟାନରେ ପହଞ୍ଚିଲେ । ସେ ଉଦ୍ୟାନରେ ଗୋଟିଏ ପଥର ବେଦୀ ଥାଏ । ତାରି ଉପରେ ଜଣେ ସୁନ୍ଦରୀ ନର୍ତ୍ତକୀର ଗୋଡ଼ରେ ମୁଣ୍ଡ ରଖି ସେ ବିଶ୍ରାମ କଲେ । ଅନ୍ୟ ନର୍ତ୍ତକୀମାନେ ନୃତ୍ୟକଲେ । ନୃତ୍ୟ ଦେଖୁ ଦେଖୁ ରାଜା ନିଦରେ ଶୋଇ ପଡ଼ିଲେ । ନର୍ତ୍ତକୀମାନେ ଭାବିଲେ–ରାଜା ତ ଶୋଇ ପଡ଼ିଲେଣି । ନୃତ୍ୟରେ ଆଉ ପ୍ରୟୋଜନ କ’ଣ ? ଚାଲ, ଆମ୍ଭେମାନେ ଉଦ୍ୟାନର ଶୋଭା ଦେଖିବା-। ସେମାନେ ଉଦ୍ୟାନରେ ବୁଲୁ ବୁଲୁ ଗୋଟିଏ ଫୁଲଭରା ଶାଳଗଛ ଛାଇରେ ବୋଧିସତ୍ତ୍ୱଙ୍କୁ ଶୋଇଥିବାର ଦେଖିଲେ । ସେମାନେ ତପସ୍ୱୀଙ୍କ ନିକଟକୁ ଯାଇ ପ୍ରଣାମ କଲେ ଏବଂ ତାଙ୍କ ଚାରି ପାଖରେ ଘେରି ବସି କହିଲେ–ହେ ତପସ୍ୱୀ, ଆମ୍ଭମାନଙ୍କୁ କିଛି ଧର୍ମ ଉପଦେଶ ଶୁଣାନ୍ତୁ । ତପସ୍ୱୀ ଆନନ୍ଦ ମନରେ ଧର୍ମ ଉପଦେଶ ଦେବାକୁ ଲାଗିଲେ ।

 

Image

 

ଏହି ସମୟରେ ସେ ସୁନ୍ଦରୀ ସ୍ତ୍ରୀର ଗୋଡ଼ ଟିକିଏ ହଲିଯିବାରୁ ରାଜାଙ୍କର ନିଦ ଭାଙ୍ଗିଗଲା । ନୃତ୍ୟ ହେଉ ନ ଥିବାର ଦେଖି ସେ ନର୍ତ୍ତକୀମାନଙ୍କୁ ଖୋଜିବାକୁ ଲାଗିଲେ । ତପସ୍ୱୀଙ୍କ ପାଖରେ ନର୍ତ୍ତକୀମାନଙ୍କୁ ଦେଖି ରାଜା କ୍ରୋଧରେ ଅଧୀର ହୋଇ ପଡ଼ିଲେ । ସେ ଖଣ୍ଡାଟିଏ ଧରି ତପସ୍ୱୀଙ୍କୁ ହାଣିବାକୁ ଧାଇଁଗଲେ । ଗୋଟିଏ ନର୍ତ୍ତକୀ କୌଶଳରେ ରାଜାଙ୍କ ହାତରୁ ଖଣ୍ଡାଟି ଛଡ଼ାଇ ନେଲା ।

 

ରାଜା ଖଣ୍ଡାଛାଡ଼ି ତପସ୍ୱୀଙ୍କୁ ପଚାରିଲେ– ‘‘ହେ ଶ୍ରମଣ, ତୁମ ଧର୍ମର ନୀତି କ’ଣ ?" ତପସ୍ୱୀ ଉତ୍ତର କଲେ– ମହାରାଜ, ମୋର ନୀତି କ୍ଷମା ।’’ ରାଜା କହିଲେ– ‘‘କ୍ଷମା କ’ଣ ?’’ ତପସ୍ୱୀ କହିଲେ– ‘‘ଗାଳି, ମାଡ଼ ଓ ଥଟ୍ଟା ସହିଲା ପରେ ଯେ କ୍ରୋଧ କରେ ନାହିଁ ।’’ ରାଜା କହିଲେ ‘‘ଆଚ୍ଛା, ମୁଁ ବର୍ତ୍ତମାନ ତୁମ କ୍ଷମାର ମହତ୍ତ୍ୱ ଦେଖାଇ ଦେବି ।’’ ଏହା କହି ରାଜା ଘାତକକୁ ଡକାଇଲେ । ଘାତକ ତାର ଉଗ୍ରବେଶ ଧାରଣ କରି, ଚାବୁକ ଧରି ପହଞ୍ଚିଲା । ରାଜା ଆଦେଶ ଦେଲେ– ଏ ଚୋର, ଦୁଷ୍ଟ ତପସ୍ୱୀର ସାରା ଶରୀରରେ ହଜାର ଚାବୁକ ମାର ।

 

ଘାତକ ଆଜ୍ଞା ପାଇ ସଙ୍ଗେ ସଙ୍ଗେ ତପସ୍ୱୀଙ୍କୁ ହଜାର ଚାବୁକ ମାରିଲା । ମାଡ଼ ଆଘାତରେ ବୋଧିସତ୍ତ୍ୱଙ୍କର ଶରୀର ସାରା କ୍ଷତ ବିକ୍ଷତ ହୋଇଗଲା । ଚର୍ମ ଫାଟି ରକ୍ତ ଧାର ଧାରି ବହିଗଲା । ରାଜା ପଚାରିଲେ– ‘‘ହେ ଭିକ୍ଷୁକ, ଏଥର କୁହ ତୁମର ନୀତି କ’ଣ ?’’ ତପସ୍ୱୀ ଉତ୍ତର କଲେ– ‘‘ମୋର ନୀତି କ୍ଷମା । ତୁମେ କ’ଣ ଭାବିଛ କ୍ଷମା ମୋର ଚର୍ମତଳେ ଅଛି ? ନା, ସେ ମୋର ହୃଦୟ ଭିତରେ ଅଛି ।’’ ରାଜା ଏଥର ଅଧିକ କ୍ରୋଧରେ ଗର୍ଜିଉଠି ଘାତକକୁ କହିଲେ– ‘‘ତପସ୍ୱୀର ଦୁଇଗୋଡ଼, ଦୁଇହାତ କାଟିଦିଅ ।’’ ହାତଗୋଡ଼ କଟିଯିବାରୁ ସ୍ରୋତପରି ରକ୍ତ ବୋହିଗଲା । ରାଜା ପୁଣି ତପସ୍ୱୀଙ୍କୁ ପଚାରିଲେ– ‘‘ଏଥର ତୁମର ନୀତି କ’ଣ ?" ତପସ୍ୱୀ ଉତ୍ତର କଲେ– ‘‘ମୋର ନୀତି କ୍ଷମା । ହେ ରାଜା, କ୍ଷମା ମୋର ହାତ ଓ ଗୋଡ଼ ଭିତରେ ନ ଥିଲା । ଏହା ମୋର ଅନ୍ତରର ଖୁବ୍‌ ଗଭୀରରେ ଅଛି ।’’ ଏଥର ରାଜା କ୍ରୋଧରେ ଅଧୀର ହୋଇ ତପସ୍ୱୀଙ୍କର ନାକ କାନ କାଟି ଦେବାକୁ ଆଦେଶ ଦେଲେ । କାନ ନାକ କଟାଯିବା ପରେ ରକ୍ତ, ନଦୀ-ସ୍ରୋତ ପରି ବହିବାକୁ ଲାଗିଲା । ରାଜା ପଚାରିଲେ– ‘‘ହେ ଭଣ୍ଡ ତପସ୍ୱୀ, ଏଥର ତୁମର ନୀତି କ’ଣ ?’’ ତପସ୍ୱୀ ଦୃଢ଼ ସ୍ୱରରେ କହିଲେ– ‘‘କ୍ଷମା । ହେ ରାଜନ, କ୍ଷମା ମୋର କାନ ଓ ନାକରେ ନ ଥିଲା । ଏହା ମୋର ପ୍ରାଣର ଅତି ନିଗୂଢ଼ ସ୍ଥାନରେ ସଂଚିତ ।’’ ରାଜା କ୍ରୋଧରେ ନିଆଁ ପରି ଜଳି ଉଠିଲେ । ତପସ୍ୱୀଙ୍କ ଛାତିରେ ଜୋରରେ ଆଘାତ କରି କହିଲେ– ‘‘ରେ ଦୁଷ୍ଟ ତପସ୍ୱୀ, ତୋର କ୍ଷମା ଏଥର ତୋତେ ଉଠାଉ, ବସାଉ ।’’ ରାଜା ଚାଲି ଯିବାପରେ ସେନାପତି ଅତ୍ୟନ୍ତ ଦୁଃଖିତ ହୋଇ ତପସ୍ୱୀଙ୍କ ପାଖକୁ ଆସିଲେ । ତପସ୍ୱୀଙ୍କ ଶରୀରରୁ ରକ୍ତ ପୋଛାପୋଛି କରିଦେଲେ । କ୍ଷତ ସ୍ଥାନମାନଙ୍କରେ ପଟି ବାନ୍ଧିଦେଲେ । ତପସ୍ୱୀଙ୍କ ପାଦତଳେ ପଡ଼ି ବିନୟରେ କହିଲେ– ‘‘ହେ ମହାତପସ୍ୱୀ ! ଯେ ଆପଣଙ୍କୁ ଏତେ କଷ୍ଟ ଦେଲା, ଆପଣଙ୍କର ଅଭିଶାପ କେବଳ ତାରି ଉପରେ ପଡ଼ୁ ।’’ ତପସ୍ୱୀ କହିଲେ– ‘‘ଯେଉଁ ରାଜା ମୋର ଏପରି ଦଶା କରାଇଛନ୍ତି ସେ ଚିରଜୀବି ହୁଅନ୍ତୁ । ଏହା ମୋର ଆଶୀର୍ବାଦ ।’’

 

ରାଜା ତପସ୍ୱୀଙ୍କୁ ଆଘାତ କରି ତପସ୍ୱୀଙ୍କର ଦୃଷ୍ଟିରୁ ଅଗୋଚର ହେବାକ୍ଷଣି ତାଙ୍କ ଗୋଡ଼ ତଳର ଭୂଇଁ ଫାଟିଗଲା । ସେ ସେହିଠାରେ ରସାତଳଗାମୀ ହେଲେ । ବୋଧିସତ୍ତ୍ୱ ସେହି ଉଦ୍ୟାନ ଭିତରେ ଦେହତ୍ୟାଗ କଲେ । ସେନାପତି ନଗର ଲୋକଙ୍କୁ ଡାକିଲେ । ଧୂପ ଦୀପ ଓ ପୂଜା ସାମଗ୍ରୀରେ ତପସ୍ୱୀଙ୍କ ପୂଜାପରେ, ତାଙ୍କର ଦେହକୁ ଦାହ କରିଥିଲେ । କେହି କେହି କୁହନ୍ତି ବୋଧିସତ୍ତ୍ୱ ହିମାଳୟକୁ ପୁଣି ଚାଲି ଯାଇଥିଲେ ।

 

ପ୍ରଶ୍ନ

 

୧.

ତପସ୍ୱୀଙ୍କୁ ରାଜା କାହିଁକି ଦଣ୍ଡ ଦେଲେ ?

 

 

୨.

ତପସ୍ୱୀଙ୍କର ନୀତି କ’ଣ ଥିଲା ?

Image

 

ଇନ୍ଦ୍ର ହାରିଲେ

 

ପୂର୍ବକାଳର କଥା । ବ୍ରହ୍ମଦତ୍ତ ବାରାଣସୀରେ ରାଜତ୍ୱ କରୁଥିବା ବେଳେ ବୋଧିସତ୍ତ୍ୱ ଅଶିକୋଟି ଧନର ମାଲିକ ହୋଇ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ନାମ ଥିଲା ସେଠ ବିସହ୍ୟ । ସେ ଦାନୀ ଓ ସତ୍‌ ସ୍ୱଭାବର ଲୋକଥିଲେ । ନଗରର ଛଅଟି ଦ୍ୱାରରେ ସେ ପ୍ରତ୍ୟହ ଧନ ବିତରଣ କରୁଥିଲେ । ସେହି ସ୍ଥାନ ମାନ ନଗରର ଚାରିଦ୍ୱାର, ନଗରର ମଧ୍ୟସ୍ଥଳ ଓ ସେଠ ବାସ କରୁଥିବା ଗୃହର ଦ୍ୱାର । ସେ ପ୍ରତିଦିନ ଛଅଲକ୍ଷ ଟଙ୍କା ଦାନ କରୁଥିଲେ । ତାଙ୍କ ଦାନର ପ୍ରଶଂସା ସାରା ଜମ୍ବୁଦ୍ୱୀପରେ ବ୍ୟାପିଗଲା । ଏକଥା ଶୁଣି ଇନ୍ଦ୍ରଙ୍କର ସିଂହାସନ କମ୍ପିଉଠିଲା । ଇନ୍ଦ୍ର ଭାରି ଚିନ୍ତିତ ହୋଇ ପଡ଼ିଲେ । ସେ ଭାବିଲେ– ‘‘ଏହି ସେଠଙ୍କର ଦାନ ଫଳରେ ମୋର ଇନ୍ଦ୍ରପଦ ଚାଲିଯାଇ ପାରେ । ଏହା ଭାବି ସେ ସେଠଙ୍କର ଦାନବ୍ରତ ଭାଙ୍ଗିବାକୁ ଚେଷ୍ଟା କଲେ । ଇନ୍ଦ୍ରଙ୍କର କୌଶଳରେ ଆଖି ପିଛୁଳା ମାତ୍ରେ ସେଠଙ୍କର ଧନ ଭଣ୍ଡାର ଶୂନ୍ୟ ହୋଇଗଲା । ଭୃତ୍ୟ ଓ ସେବାକାରୀମାନେ କେଉଁ ଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ । ଧନଭଣ୍ଡାର ଶୂନ୍ୟ ହୋଇ ଯିବାରୁ, ଧନ ବିତରଣକାରୀ ସେଠଙ୍କୁ ଜଣାଇଲେ– ‘‘ପ୍ରଭୁ, ଧନଶାଳା ଶୂନ୍ୟ ହୋଇଯାଇଛି, ଏଣିକି ଦାନ ବନ୍ଦ ହୋଇଯିବ ।’’ ସେଠ ତାଙ୍କର ସ୍ତ୍ରୀଙ୍କୁ ଡାକି କହିଲେ– ‘‘ଭଦ୍ରେ, ମୁଁ ଦାନ ବନ୍ଦ କରାଇ ଦେବିନାହିଁ । କୌଣସି ଉପାୟରେ ଦାନ କାର୍ଯ୍ୟ ଚଳାଅ ।’’ ନଗରରେ କାଳେ କେଉଁଠି ଧନରତ୍ନ କିଛି ରହି ଯାଇଥିବ ଭାବି, ସେଠଙ୍କର ସ୍ତ୍ରୀ ପ୍ରତିଘର ଖୋଜିଲେ । କେଉଁଠାରୁ କିଛି ନପାଇ ସେ ସେଠଙ୍କୁ କହିଲେ– ‘‘ହେ ସ୍ୱାମୀ; ଆମେ ଦୁହେଁ ପିନ୍ଧିଥିବା ବସ୍ତ୍ର ବ୍ୟତୀତ ଆଉ କୌଣସି ଧନ ନଗରରେ ନାହିଁ; ଅତଏବ କେଉଁ ଉପାୟରେ ଆଉ ଦାନ କାର୍ଯ୍ୟ ଚଳିବ ? ପୁଣିଥରେ ନଗରରେ ଧନ ଖୋଜିବାକୁ କହି ସେଠ ତାଙ୍କ ସ୍ତ୍ରୀଙ୍କ ସଙ୍ଗରେ ବାହାରିଲେ ।

 

Image

 

ଧନର ଅନୁସନ୍ଧାନ କରୁ କରୁ ଦୈବାତ୍‌ ଜଣେ ଘାସ କଟାଳୀ ତାର ଦାଆ, ବାହୁଙ୍ଗି ଓ ଘାସ ବନ୍ଧା ଦଉଡ଼ି ନଗର ଦ୍ୱାରରେ ଛାଡ଼ିଦେଇ ଯାଇଥିବାର ସେମାନେ ଦେଖିଲେ । ସେଗୁଡ଼ିକ ପାଇ ସେଠ ଖୁବ୍‌ ଆନନ୍ଦିତ ହେଲେ । ତାଙ୍କର ପ୍ରାଣରେ ଆଶାର ସଂଚାର ହେଲା । ସେହି ଦାଆ ଓ ବାହୁଙ୍ଗି ସାହାଯ୍ୟରେ ଘାସକାଟି ସେ ଦାନ କାର୍ଯ୍ୟ ଚଳାଇବେ ବୋଲି ସ୍ଥିରକଲେ । କାଳ ବିଳମ୍ବ ନକରି ସେ ଘାସ କାଟିବାକୁ ବାହାରିଲେ । ସେ ଭାବିଲେ– ‘‘ପ୍ରତ୍ୟହ ମୁଁ ଭାରେ ଘାସ କାଟିବି, ତାକୁ ବିକ୍ରୟକରି ଅଧେ ମୂଲ୍ୟରେ ଦାନକାର୍ଯ୍ୟ ଚଳାଇବି ଓ ଅନ୍ୟ ଅଧିକ ମୂଲ୍ୟରେ ନିଜର ଉଦର ପୋଷଣ କରିବି । ଏହା ବିଚାରି ସେ ପ୍ରଚଣ୍ଡ ଖରା ସହି ଭାରେ ଘାସ କାଟିଲେ । ନଗରରେ ବୁଲି ବୁଲି ସେ ଘାସକୁ ବିକ୍ରିକରି ଦାନଶାଳାରେ ପହଞ୍ଚିଲେ । ସେ ଦିନ ଦାନଶାଳାରେ ବହୁତ ଲୋକ ଦାନଗ୍ରହଣ କରିବାକୁ ଅପେକ୍ଷା କରିଥାନ୍ତି । ତେଣୁ ସମୁଦାୟ ଅର୍ଥ ଦାନରେ ବ୍ୟୟ ହୋଇଗଲା । ସେଠ ସେଦିନଟି ଉପବାସରେ କଟାଇଲେ । ପରଦିନ ପୁଣି ଘାସ କାଟି ବିକ୍ରିକଲେ । ସେଦିନ ମଧ୍ୟ ଅନେକ ଦାନଗ୍ରହଣକାରୀ ଥିବାରୁ ସମସ୍ତ ଅର୍ଥ ଦାନରେ ବ୍ୟୟ ହୋଇଗଲା । ଏହିପରି ଛଅଟି ଦିନ ଉପବାସରେ ଗତ ହୋଇଗଲା । ସପ୍ତମ ଦିନ ଯେତେବେଳେ ଘାସ କାଟନ୍ତି, ତାଙ୍କର ସୁକୁମାର ଦେହ ଆଉ ଖରା ତେଜ ସହି ପାରିଲାନାହିଁ । ତାଙ୍କର ମସ୍ତିଷ୍କ ଘୂରି ଗଲା । ସେ ସେହିଠାରେ ପଡ଼ିଗଲେ ।

 

ଇନ୍ଦ୍ର ଦେବତା ସ୍ୱର୍ଗରେ ରହି ପ୍ରତ୍ୟକ୍ଷରେ ଦେଖୁଥାନ୍ତି । ସ୍ୱର୍ଗରୁ ସେ ଡାକିଲେ– ‘‘ହେ ସେଠ, ଦାନ ଦେଇ ଦେଇ ତୁମର ସମସ୍ତ ଅର୍ଥ କ୍ଷୟ ହୋଇଯାଇଛି, ଯଦି ଏଣିକି ତୁମେ ଦାନ କାର୍ଯ୍ୟ ବନ୍ଦ କରିବ, ତେବେ ତୁମର ପୂର୍ବଧନ ଫେରିପାଇବ ।’’ ଏକଥା ଶୁଣି ସେଠ ପଚାରିଲେ– ‘‘ତୁମେ କିଏ ?’’ ଇନ୍ଦ୍ର ଉତ୍ତର କଲେ– ‘‘ମୁଁ ସ୍ୱର୍ଗର ଅଧିପତି ଇନ୍ଦ୍ର ।’’ ସେଠ କହିଲେ– ‘‘ସତ୍ୟ, ରକ୍ଷା, ଦାନଧର୍ମ ଓ କର୍ତ୍ତବ୍ୟ ପାଳନରେ ସକ୍ଷମ ହେଲେ ଲୋକ ଇନ୍ଦ୍ର ପଦ ପାଇଥାନ୍ତି । ତୁମେ ସେ ସବୁ କାର୍ଯ୍ୟ କରି ଇନ୍ଦ୍ର ପଦ ପାଇ ଏପରି ଅନାର୍ଯ୍ୟ କଥା କିପରି କରୁଛ ?’’ ତା’ପରେ ସେ ତିନୋଟି ଗାଥା କହିଥିଲେ– ‘‘(୧) ଆର୍ଯ୍ୟ ଦରିଦ୍ର ହେଲେ ମଧ୍ୟ ସେ ଅନାର୍ଯ୍ୟ କର୍ମ କରିବ ନାହିଁ । (୨) ଯେଉଁ ବାଟରେ ଗୋଟିଏ ରଥଯାଏ ସେ ବାଟରେ ଅନ୍ୟ ଏକ ରଥ ଯାଇପାରେ । ହେ, ବାସବ,ଏହା ପୁରାତନ କାଳରୁ ଚଳିଆସୁଛି । (୩) ଯେଉଁ ଧନପାଇଁ ଦାନକୁ ତ୍ୟାଗ କରିବାକୁ ପଡ଼େ ସେପରି ଧନ ମୋର ଆବଶ୍ୟକ ନାହିଁ । ଏପରି ଅବସ୍ଥାରେ ପଡ଼ିଲେ ମଧ୍ୟ ମୁଁ ଦାନରେ ହେଳା କରିବି ନାହିଁ ?’’

 

ଇନ୍ଦ୍ର ପଚାରିଲେ– ‘‘କେଉଁ ଉଦ୍ଦେଶ୍ୟରେ ଏପରି କଠୋର ବ୍ରତ ପାଳନ କରିଛ ? ସେଠ ଉତ୍ତର କଲେ–ମୁଁ ଇନ୍ଦ୍ରପଦ ବା ବ୍ରହ୍ମାପଦ ପାଇଁ ଇଚ୍ଛା କରି ନାହିଁ । କେବଳ ତ୍ରିକାଳଦର୍ଶୀ ହେବାପାଇଁ ଏ ବ୍ରତ ଗ୍ରହଣ କରିଛି ।’’

 

ଏହା ଶୁଣି ଇନ୍ଦ୍ର ଅତ୍ୟନ୍ତ ଖୁସିହୋଇ ସେଠଙ୍କର ପିଠିରେ ହାତବୁଲାଇ ଦେଲେ । ସଙ୍ଗେ ସଙ୍ଗେ ତାଙ୍କର ଶରୀରରେ ପୂର୍ବବଳ ଫେରି ଆସିଲା । ତାଙ୍କ ଉଦରରୁ କ୍ଷୁଧାବାଧା ଦୁର ହୋଇଗଲା, ସେ ଇନ୍ଦ୍ରଙ୍କର ଆଶୀର୍ବାଦ ପାଇ ନଗରକୁ ଫେରି ଆସିଲେ । ତାଙ୍କର ଧନ ଭଣ୍ଡାର ପୂର୍ବଠାରୁ ଲକ୍ଷେ ଗୁଣରେ ଭରି ଉଠିଲା । ଏଥର ସେ ପ୍ରତିଦିନ ବାର ହଜାର ଲୋକଙ୍କୁ ଦାନ ଦେବାକୁ ସକ୍ଷମ ହେଲେ ।

 

ପ୍ରଶ୍ନ

 

୧.

ସେଠଙ୍କର ଧନ ଶେଷ ହୋଇଯିବାରୁ ସେ କିପରି ଦାନ କାର୍ଯ୍ୟ ଚଳାଇଲେ ?

 

 

୨.

ସେଠ ଇନ୍ଦ୍ରଙ୍କୁ କ’ଣ କହିଥିଲେ ?

Image

 

କଲା କର୍ମର ଫଳ

 

Image

 

(୧)

ହଜାର ହଜାର ବରଷ

ସିନା ଗଲାଣି ବିତି

କାହାଣୀଟି ଲୋକ ମୁଖରୁ

ଏବେ ଶୁଭୁଛି ନିତି ।

ବାରାଣସୀ ନାମ ନଗରେ

ବ୍ରହ୍ମଦତ୍ତ ନୃପତି

ପାଳନ୍ତି ପରଜା ହରଷେ

ମାନି କ୍ଷତ୍ରିୟ ବୃତ୍ତି ।

ସେହି ସମୟରେ ଏକଦା

ହିମାଳୟ ପ୍ରଦେଶେ,

ବୋଧିସତ୍ତ୍ୱ ହେଲେ ଜନମ

ଏକ ମହୀଷ ବଂଶେ ।

(୨)

କ୍ରମେ ବୃଦ୍ଧିହେଲା ସୌନ୍ଦର୍ଯ୍ୟ

ହେଲେ ଶକତିଶାଳୀ

ମହାସୁଖେ ଘୋର ବନରେ

ଦିନ କାଟନ୍ତି ଖେଳି ।

ନିତି ସେ ବିଶ୍ରାମ କରନ୍ତି

ଏକ ବୃକ୍ଷର ମୂଳେ,

ପାପିଷ୍ଠ ବାନର ଗୋଟିଏ

ଥାଏ ସେ ଗଛଡ଼ାଳେ।

ମହୀଷକୁ ଦେଖି ବୃକ୍ଷରୁ

ବେଗେ ଓହ୍ଲାଇଆସେ

ଶିଙ୍ଗଧରି ଲାଞ୍ଜ ଓଟାରି

ପିଠି ଉପରେ ବସେ ।

(୩)

ମଳମୂତ୍ର ତ୍ୟାଗ କରେ ସେ

ପିଠି ଉପରେ ନିତି

ସେ ବୃକ୍ଷରେ ଏକ ଦେବତା

ନେତ୍ରେ ସବୁ ଦେଖନ୍ତି ।

ଦିନେ ସେ ବୃକ୍ଷରୁ ଡାକିଲେ-

‘‘ଆହେ ମହୀଷରାଜ,

କିପାଇଁ ନୀରବେ ସହୁଛ

ଅତ୍ୟାଚାରୀର କାର୍ଯ୍ୟ ?

ପ୍ରତିରୋଧ ଯଦି ନ କର

କଷ୍ଟ ହେବ ଅଧିକ,

ପାଦେ ଦଳି ଦୁଷ୍ଟ ବାନରେ

ରଖ ନିଜର ଟେକ ।’’

(୪)

ମହୀଷ କହିଲେ ‘‘ହେ ଦେବ,

ଜାତି,ଗୋତ୍ର,ବଳରେ,

ବାନର ଠାରୁ ମୁଁ ଗରିଷ୍ଠ

ଅଟେ ସବୁ କାଳରେ ।

ବଡ଼ ହୋଇ ଯଦି ନ ସହେ

ତା’ର ଦୁର୍ନୀତି ମାନ,

ହୋଇବି ତେବେ ମୁଁ ଅବଶ୍ୟ

ତାହା ସଙ୍ଗେ ସମାନ ।

ମୋ ଜାତିର ଦୁଷ୍ଟ ମହୀଷ

ଯେବେ ଆସିବ ଏଥି,

ଦୁଃଖ ଆଉ ଜୀବହିଂସାରୁ

ମୋତେ ଦେବ ସେ ମୁକ୍ତି ।’’

(୫)

କିଛିଦିନ ଅନ୍ତେ ମହୀଷ

ଛାଡ଼ିଗଲେ ସେ ସ୍ଥାନ,

ଅନ୍ୟ ଏକ ଦୁଷ୍ଟ ମହୀଷ

ତହିଁ କଲା ବିଶ୍ରାମ ।

ନିଜ ମନ୍ଦଗୁଣ ବଳରେ

ଦୁଷ୍ଟ ବାନର ଆସି,

ମଳ, ମୂତ୍ର, ତ୍ୟାଗ କରିଲା

ତା’ର ପିଠିରେ ବସି ।

କୋପେ ଜଳିଉଠି ମହୀଷ

ତଳେ ଦେଲା କଚାଡ଼ି

ଶିଙ୍ଗେ ଚିରି ତାର ବକ୍ଷକୁ

ଦେଲା ପାଦରେ ଦଳି ।

 

ପ୍ରଶ୍ନ

 

୧.

ମାଙ୍କଡ଼ ମହୀଷ ପ୍ରତି କି ଅତ୍ୟାଚାର କଲା କହ ?

 

 

୨.

ବୃକ୍ଷ ଦେବତାଙ୍କୁ ମହୀଷ କଅଣ କହିଥିଲେ ?

Image

 

ଭୂତ ପାନେ ପାଇଲା

 

ଗୋଟିଏ ପର୍ବତ ତଳେ ଛୋଟ ଗାଆଁଟିଏ ଥାଏ । ଗାଆଁ ମୁଣ୍ଡରେ ଗୋଟିଏ ପାହାଡ଼ିଆ ଝରଣା ବହି ଯାଉଥାଏ । ଝରଣା କୂଳରେ ଦୁଇଟି ସାହିରେ ଛୋଟ ଛୋଟ ଚାଳଘରେ ସାନ୍ତାଳମାନେ ବାସ କରୁଥିଲେ ।

 

ପୌଷ ମାସର ଶେଷଦିନ । ସେ ଦିନ ମକର ସଂକ୍ରାନ୍ତି ହୋଇଥାଏ । ସାନ୍ତାଳମାନଙ୍କର ଏହା ଗୋଟିଏ ପର୍ବଦିନ । ଏହି ପର୍ବର ପ୍ରଥମ ଦିନକୁ ସେମାନେ ବନୁଣ୍ଡି କହନ୍ତି । ସାନ୍ତାଳମାନେ ବନୁଣ୍ଡିଦିନ ମାଛ ଓ କଙ୍କଡ଼ା ଧରନ୍ତି । ଏହିଦିନ ମାଛ କଙ୍କଡ଼ା ମାରି ଖାଇଲେ ଦୀର୍ଘକାଳ ବଞ୍ଚିବେ ବୋଲି ସେମାନଙ୍କର ବିଶ୍ୱାସ । ଚାଉଳର ଛତୁଆ ଓ କେତେ ପ୍ରକାର ପିଠା ତିଆରି କରନ୍ତି । ତିଳ ଓ ଚୂଡ଼ା ମକର ସଂକ୍ରାନ୍ତି ଦିନ ଖାଇବା ସେମାନଙ୍କର ବିଧି । ସନ୍ଧ୍ୟା ବେଳକୁ ଗୋଟିଏ କଦଳୀ ଗଛର ଗଣ୍ଡିକୁ ଲକ୍ଷ କରି ଶର ମାରିବା ପ୍ରତିଯୋଗିତା ହୁଏ । ଏହିପରି ନାନା ଆମୋଦ ପ୍ରମୋଦରେ ସାନ୍ତାଳମାନେ ମକର ପର୍ବ ପାଳନ କରନ୍ତି ।

 

ମକର ପର୍ବ ପାଳିବା ପାଇଁ ଗୋଟିଏ ସାନ୍ତାଳ ତା’ର ସ୍ତ୍ରୀକୁ ସାଙ୍ଗରେ ନେଇ ଶାଶୁଘରକୁ ଯାଉଥାଏ । ଝରଣା କୂଳରେ ଗୋଟିଏ ମହୁଲ ଗଛରେ ଭୂତଟିଏ ରହୁଥିଲା । ଭୂତମାନେ ତ, ବଡ଼ ଦୁଷ୍ଟ । ସେମାନେ ସର୍ବଦା ଲୋକମାନଙ୍କର ଅନିଷ୍ଟ ପାଞ୍ଚନ୍ତି ।

 

ସ୍ୱାମୀ ଓ ସ୍ତ୍ରୀ ଦୁହେଁ ଅଧବାଟରେ ପହଞ୍ଚିବା ବେଳେ ଭୂତ ସ୍ୱାମୀପରି ରୂପ ଧରି ଉପସ୍ଥିତ ହେଲା । ଭୂତ ପ୍ରକୃତ ସ୍ୱାମୀକୁ କହିଲା– ‘‘ମୋ ସ୍ତ୍ରୀକୁ ନେଇ କେଉଁଆଡ଼େ ଯାଉଛୁ ?’’ ପ୍ରକୃତ ସ୍ୱାମୀ ଏହି କପଟୀ ସ୍ୱାମୀର କଥା କିଛି ବୁଝିପାରିଲା ନାହିଁ । ଉଭୟେ ବାଟରେ କଳି କରି କରି ଯାଉଥିଲେ ।

 

କେତେ ଜଣ ଗାଈ-ଜଗୁଆଳ ପିଲା ବଣ ମଧ୍ୟରେ ଗାଇ ଚରାଉଥିଲେ । ସେମାନେ ଏହି ଦୁଇ ଜଣଙ୍କର କଳି ଶୁଣି କଳିର କାରଣ ପଚାରିଲେ । ସେ ଦୁହେଁ ଆପଣା ଆପଣାକୁ ସ୍ୱାମୀ ବୋଲି କହି ସ୍ତ୍ରୀଟିକୁ ନେବାକୁ ଦାବିକଲେ । ଦୁଇଜଣଙ୍କର ରୂପ ସମାନ । ତେଣୁ ସ୍ତ୍ରୀଟି ତା’ର ପ୍ରକୃତ ସ୍ୱାମୀକୁ ଚିହ୍ନିପାରିଲା ନାହିଁ ।

 

ଗାଈ-ଜଗୁଆଳ ପିଲାଏ କହିଲେ- ‘‘ତୁମ୍ଭେମାନେ ଆଜି ରାତିରେ ଆମ ପାଖରେ ରହ । କାଲି ସକାଳେ ଆମ୍ଭେମାନେ ତୁମ୍ଭ ଦୁହିଁଙ୍କ କଳି ନିଷ୍ପତ୍ତି କରିଦେବୁ ।’’ ସେମାନେ ଗାଈ–ଜଗୁଆଳଙ୍କ କଥାରେ ରାଜି ହେଲେ ।

 

ରାତି ହେଲା, ସମସ୍ତେ ଶୋଇଲେ । ଗୋଟିଏ ଗାଈଆଳ ପିଲା ଚେଇଁ ରହିଲା । ପ୍ରକୃତ ସ୍ୱାମୀ, ଭୂତ ଓ ସ୍ତ୍ରୀ ଲୋକଟି ଗଛମୂଳେ ଶୋଇବାକୁ ଗଲେ । ଭୂତ ରାତିରେ ଶୋଇଲା ନାହିଁ । ସେ ମନକୁ ମନ କହୁଥାଏ ‘‘ହେଲେ ହେଲା ନ ହେଲେ ନାହିଁ, ମୋ ମହୁଲ ଗଛର କୋରଡ଼ ତ କୁଆଡ଼େ ଯିବ ନାହିଁ ।’’

 

ରାତି ପାହିଲା । ଗାଈଆଳପିଲାଟି ତା’ର ସଙ୍ଗୀମାନଙ୍କୁ ସବୁକଥା କହିଲା । କଳି ନିଷ୍ପତ୍ତି ନିମନ୍ତେ ଦୁଇ ସ୍ୱାମୀ ଓ ସ୍ତ୍ରୀକୁ ଡକାଗଲା । ଦୁହେଁ ପୂର୍ବପରି ଦାବି କରି ବସିଲେ । ଗାଈଆଳପିଲା ଗୋଟିଏ ମାଠିଆ ଆଣି କହିଲା- ‘‘ଯେ ଏ ମାଠିଆ ଭିତରେ ପଶି ଯାଇପାରିବ, ସେ ପ୍ରକୃତ ସ୍ୱାମୀ-

 

Image

 

ଭୂତ ନିଜର ଦେହକୁ ସାନକରି ସଙ୍ଗେ ସଙ୍ଗେ ମାଠିଆ ଭିତରେ ପଶିଗଲା । ଗାଈଆଳ ପିଲାମାନେ ମାଠିଆ ମୂହଁକୁ ଉତ୍ତମ ରୂପେ ବନ୍ଦ କରିଦେଲେ । ତା’ପରେ ମାଠିଆଟିକୁ ନେଇ ନଦୀର ପ୍ରଖର ସ୍ରୋତ ମୁହଁରେ ଭସାଇ ଦେଲେ ।

 

ପ୍ରକୃତ ସ୍ୱାମୀ ତା’ର ସ୍ତ୍ରୀକୁ ନେଇ ଶଶୁରଘରକୁ ଆନନ୍ଦରେ ଚାଲିଗଲା । ଗାଈ ଜଗୁଆଳମାନେ ସମସ୍ତଙ୍କ ଠାରୁ ବହୁ ପ୍ରଶଂସା ପାଇଲେ ।

 

ପ୍ରଶ୍ନ

 

୧.

ସାନ୍ତାଳମାନେ ମକର ପର୍ବ କିପରି ପାଳନ କରନ୍ତି ?

 

 

୨.

ଗାଈ-ଜଗୁଆଳମାନେ କିପରି ବିଚାର କଲେ ?

Image

 

ଗର୍ବର ଫଳ

 

ଅଗନାଅଗନି ବନସ୍ତ ଭିତରେ ଗୋଟିଏ ପଥରର ଗୁହାଥାଏ । ଗୁହା ଭିତରେ ଗୋଟେ ମହାବଳ ବାଘ ତା’ର ବାଘୁଣୀ ଓ ଶିଶୁମାନଙ୍କୁ ନେଇ ରହେ । ବାଘ ବାଘୁଣୀ ଦୁହେଁ ଅରଣ୍ୟରେ ବୁଲି ହରିଣ, ସମ୍ବର ଇତ୍ୟାଦି ଜୀବଜନ୍ତୁଙ୍କୁ ଶିକାର କରି ଆଣନ୍ତି । ସେମାନେ ଶିକାର କରିବାକୁ ଯିବା ସମୟରେ କିଛି ମାଂସ ପିଲାମାନଙ୍କୁ ଖାଇବାକୁ ଦେଇଯାଆନ୍ତି।

 

ସେହି ଗୁହା ନିକଟରେ ଗୋଟିଏ ବୁଦା ତଳେ ଗର୍ତ୍ତକରି ବିଲୁଆଟିଏ ରହୁଥିଲା । ବାଘ ତା’ର ପିଲାମାନଙ୍କୁ ଏହିପରି ମାଂସ ଦେଇ ଯାଉଥିବାର ସେ ଦେଖିଲା । ବିଲୁଆ ତ ବଡ଼ ଚତୁର । ସେ ମନେ ମନେ ପାଞ୍ଚିଲା, ଏହି ମାଂସତକ କିପରି ଖାଇବ । ଦିନେ ଗଛ ବଳ୍‌କଳର ଜୋତା ପିନ୍ଧିଲା, ମୁଣ୍ଡରେ ଗଛ ପତ୍ରର ତିଆରି ଟୋପି ଲଗାଇଲା । ଏହିପରି ବେଶରେ ସେ ବାଘ ପିଲାମାନଙ୍କ ନିକଟରେ ଉପସ୍ଥିତ ହୋଇ କହିଲା– ‘‘ମୁଁ ଜଣେ ମହାଜନ । ତୁମମାନଙ୍କ ବାପା ମୋ ଠାରୁ ଟଙ୍କା ଧାରେ । ମୁଁ ଏହି ମାଂସତକ ଖାଇବି । ବାଘ ପିଲାମାନେ ବିଲୁଆର ବେଶ ଦେଖି ଭୟ କଲେ । ସେମାନେ ମାସଂତକ ଦେବାକୁ ରାଜି ହୋଇଗଲେ । ବିଲୁଆ ଆନନ୍ଦରେ ମାଂସ ଖାଇଲା । ପ୍ରତିଦିନ ବିଲୁଆ ଏହିପରି ମାଂସତକ ଖାଇବାକୁ ଲାଗିଲା ।

 

ବୁଢା ବାଘ ଦିନେ ଦେଖିଲା ଯେ ତା’ର ପିଲାମାନେ ଦିନକୁ ଦିନ ଶୀର୍ଣ୍ଣ ଦେଖାଯାଉଛନ୍ତି-। ସେ ପିଲାଙ୍କୁ ଏହାର କାରଣ ପଚାରିଲା । ସେମାନେ ଉତ୍ତର ଦେଲେ ଯେ ଜଣେ ମହାଜନ ପ୍ରତ୍ୟେହ ଆମ ଘରକୁ ଆସୁଛି । ସେ କହୁଛି ଯେ ତୁମ ବାପା ମୋ ଠାରୁ ଟଙ୍କା ଋଣ କରିଛି । ତେଣୁ ସେ ମାଂସତକ ଦାବୀକରି ଖାଉଛି । ଆମ୍ଭେମାନେ ଉପବାସ ରହୁଅଛୁ । ବାଘ ଏ କଥା ଶୁଣି ଅତ୍ୟନ୍ତ ରାଗି ଉଠିଲା ଓ ଠକକୁ ଉଚିତ ଶାସ୍ତି ଦେବ ବୋଲି ସ୍ଥିର କଲା ।

 

ତହିଁ ଆରଦିନ ବାଘୁଣୀ ବାଘ ସହିତ ଅରଣ୍ୟକୁ ଶିକାର ପାଇଁ ଗଲାନାହିଁ । ସେ ଗୁହାଭିତରେ ଗୋଟିଏ କୋଣରେ ଲୁଚି ରହିଲା । ବିଲୁଆ ନିର୍ଦ୍ଧିଷ୍ଟ ସମୟରେ ମହାଜନ ବେଶ ହୋଇ ଗୁହା ଭିତରକୁ ଆସିଲା ଏବଂ ପିଲାମାନଙ୍କ ଠାରୁ ମାଂସଦାବି କଲା । ବାଘୁଣୀ ବିଲୁଆର ବିଚିତ୍ର ବେଶ ଦେଖି ଭୟ କଲା । ସେ ମନେ ମନେ ବିଚାରିଲା ବୋଧହୁଏ ବାଘ ସତରେ ଧାର କରିଛି। ବିଲୁଆ ସେଦିନ ମାଂସତକ ଖାଇ ଚାଲିଗଲା । ବାଘ ଶିକାରରୁ ଫେରି ସବୁ ଶୁଣିଲା ଏବଂ ବାଘୁଣୀ ଉପରେ ଭାରି ରାଗିଲା । ସେ କହିଲା– ‘‘ତୁ ବାଘୁଣୀହୋଇ ଛାର ବିଲୁଆକୁ ଦେଖି ଡରିଗଲୁ ? ଆଚ୍ଛା, ଆଜି ମୁଁ ନିଜେ ଘରେ ରହି ଦେଖିବି ସେ ବିଲୁଆ କିପରି ଚତୁର । ଏହା ସ୍ଥିରକରି ବାଘ ଓ ବାଘୁଣୀ ସେ ଦିନ ଗୁହାରେ ଲୁଚି ରହିଲେ ।

 

ବିଲୁଆ ପ୍ରତିଦିନ ପରି ଗୁହାକୁ ମହାଜନ ବେଶରେ ଆସି ମାଂସ ଦାବି କଲା । ତାହାର କଥା ଶୁଣି ମହାବଳବାଘ ଗର୍ଜନ କରି କହିଲା– ‘‘କିରେ ! ମୁଁ ପୁଣି କେବେ ତୋ ନିକଟରୁ ଟଙ୍କା ଧାର କରିଥିଲି ?’’ ବିଲୁଆ ବାଘର କଥା ଶୁଣି ଜୀବନ ବିକଳରେ ଦୌଡ଼ିଲା । ବାଘ ତା’ ପଛେ ପଛେ ଅନୁସରଣ କରି ଧାଇଁଲା । ବିଲୁଆ ଦେଖିଲା ଯେ ଆଉ ତା’ ପ୍ରାଣ ରକ୍ଷାର ଆଶା ନାହିଁ । ବନ ମଧ୍ୟରେ ଗୋଟିଏ ଶୁଖିଲା ଗଛ ପଡ଼ିଥିଲା । ତାର ଗଣ୍ଡିରେ ଗୋଟିଏ କୋରଡ଼ ଥିଲା । ବିଲୁଆ ସେ କୋରଡ଼ର ଏକ ପାର୍ଶ୍ୱରେ ଗଳିଯାଇ ଅପର ପାର୍ଶ୍ୱରେ ବାହାରି ପଡ଼ିଲା । ବାଘ କ୍ରୋଧରେ ଜ୍ଞାନହୀନ ହୋଇ ସେହି କୋରଡ଼ ଭିତରେ ତା’ର ମୁଣ୍ଡକୁ ଗଳାଇଦେଲା । କୋରଡ଼ଟି ଅତି ବଡ଼ ନ ଥିବାରୁ ବାଘର ଦେହ ସେଥିରେ ଗଳିଲା ନାହିଁ । ବାଘ ଜୀବନ ବିକଳରେ ଗର୍ଜନ କଲା । ବିଲୁଆ ତା’ର ପଛପଟେ ବୁଲିଆସି ଜୋରରେ ପଦାଘାତ କଲା । ଆଘାତ ପାଇ ବାଘର ମୁଣ୍ଡ ଆହୁରି କୋରଡ଼ ଭିତରକୁ ପଶିଗଲା । ବିଲୁଆ ଶୀଘ୍ର ବାଘୁଣୀ ନିକଟକୁ ଯାଇ ତାକୁ କହିଲା– ‘‘ତୁମେମାନେ ମୋ ଟଙ୍କା ଧାର କରିବା କଥା ଅବିଶ୍ୱାସ କରୁଥିଲ ପରା, ନିଜେ ଆସି ସ୍ୱଚକ୍ଷୁରେ ଦେଖିଯାଅ ବାଘକୁ ମୁଁ କିପରି ବନ୍ଦୀକରି ରଖିଛି ।’’

 

Image

 

ବାଘୁଣୀ ଭୟରେ କମ୍ପି ବାଘ ନିକଟକୁ ଯାଇ ଦେଖିଲା ବାଘଟି ମରିଯାଇଛି । ବିଲୁଆ ବାଘୁଣୀକୁ କହିଲା-‘‘ଏଥର ତୁ ମୋର ସେବା କରି ଋଣ ସୁଝିବୁ । ନଚେତ୍‌ କଷ୍ଟ ଦେଇ ତୋର ଜୀବନ ନେବି ।’’ ବାଘୁଣୀ ଭୟରେ ବିଲୁଆର ସେବା କରିବାକୁ ରାଜି ହେଲା ।

 

ବାଘୁଣୀ ପ୍ରତିଦିନ ଶିକାର କରିବାକୁ ଯାଏ । ବିଲୁଆ ଗୋଟିଏ ବୃକ୍ଷ ଛାୟାରେ ନିଶ୍ଚିନ୍ତରେ ବିଶ୍ରାମ କରେ । ଜନ୍ତୁମାନେ ତା’ ନିକଟରେ ଗଲେ ମଧ୍ୟ ତାଙ୍କୁ ଧରିପାରେ ନାହିଁ । ବାଘୁଣୀ ତା’ ନିକଟକୁ ଆସିଲେ ତାକୁ ବିରକ୍ତ ହୋଇ କହେ– ‘‘ତୁ ନିତାନ୍ତ କର୍ମକୁଢ଼ୀ, ଜନ୍ତୁଟାଏ ଧରିପାରୁନାହୁଁ ? ଏଥର ମୁଁ ଜନ୍ତୁମାନଙ୍କୁ ବନ ମଧ୍ୟରୁ ତଡ଼ି ଆଣିବି, ତୁ ସେମାନଙ୍କୁ ମାରି ପକାଇବୁ-।’’

 

କଥା ଅନୁସାରେ କାର୍ଯ୍ୟ ହେଲା । ବାଘୁଣୀ ବିଲୁଆର କୌଶଳକୁ ମନେ ମନେ ବଡ଼ ପ୍ରଶଂସା କଲା । କ୍ରମେ ବଣଟି ଜନ୍ତୁ ଶୂନ୍ୟ ହୋଇ ପଡ଼ିଲା । ଏଥର ସେମାନେ ଆଉ ଗୋଟିଏ ଅରଣ୍ୟକୁ ଯିବାକୁ ବିଚାରିଲେ । ଗୁହା ଘର ଛାଡ଼ି ଅନ୍ୟ ବଣକୁ ଯିବା ବାଟରେ ଗୋଟିଏ ଗିରି-ନଦୀ ପଡ଼ିଲା । ବାଘ ପିଲା ଓ ବାଘୁଣୀ ଡିଆଁମାରି ପାଣିରେ ପହଁରି ଗଲେ । ବିଲୁଆ ନିଜର ଗୈାରବ ରକ୍ଷା କରିବା ଲାଗି ସେମାନଙ୍କ ପରି ପାଣିକୁ ଡେଇଁ ପଡ଼ିଲା । ସେ ପହଁରି ନ ପାରି ଜଳ ସ୍ରୋତରେ ଭାସି ଯିବାକୁ ଲାଗିଲା । ବାଘ ପିଲାମାନେ ବିଲୁଆର ବିପଦ ଦେଖି ଚିତ୍କାର କଲେ । ବାଘୁଣୀ ବିଲୁଆର ଜୀବନ ରକ୍ଷା କରିବାକୁ ଯାଇ, ତା’ର ମୁଣ୍ଡକୁ କାମୁଡ଼ିଧରି ପାଣିରୁ ଉଦ୍ଧାର କରିବାକୁ ବସିଲା । ବିଲୁଆ କହିଲା– ‘‘ଏପରି କାହିଁକି କରୁଛ ? ମୁଁ ପରା ଟିକିଏ ପହଁରୁଛି ।’’

 

ଏହାଶୁଣି ବାଘୁଣୀ ଆଉ ତାକୁ ସାହାଯ୍ୟ ଦେଲା ନାହିଁ । ବିଲୁଆଟି ଖର ସ୍ରୋତରେ ଭାସିଗଲା । ଗର୍ବ କରି ଶେଷରେ ବିଲୁଆ ପ୍ରାଣ ହରାଇଲା ।

 

ପ୍ରଶ୍ନ

 

୧.

ବିଲୁଆ ବାଘକୁ କିପରି ମାରିଲା ?

 

 

୨.

ବିଲୁଆ ଗର୍ବ କରି କି ଫଳ ପାଇଲା ?

Image

 

ଭାଗ୍ୟ-ଲେଖା

 

Image

 

ଥିଲା ଏକ ଚାଷୀ ସେହୁ ବଡ଼ ଧନବାନ,

ଥିଲେ ଗୋ ମହୀଷ ତା’ର ବହୁତ ପ୍ରମାଣ ।

ଜଗୁଆଳ ଗୋ ମହୀଷ ଗୋଠେ ନିଏ ବାହି,

ସଞ୍ଜକୁ ବାହୁଡ଼େ ଘରେ ବନରେ ଚରାଇ ।

ଗୋଠରୁ ହଜିଲେ ଦିନେ ଦୁଇଟି ମହୀଷ,

ଜଗୁଆଳ ଖୋଜି ଖୋଜି ହୋଇଲା ହତାଶ ।

ଚାଷୀ ଗାଳି ଦେବବୋଲି ମନେ ଭୟ କରି,

ସେ ଦିନ ଘରକୁ ଆଉ ଗଲାନାହିଁ ଫେରି ।

ଆସିଲା ଅନ୍ଧାର ମାଡ଼ି ହେଲା ଯହୁଁ ରାତି,

ଏକୁଟିଆ ଜଗୁଆଳ, ଥରେ ତା’ର ଛାତି ।

ବଣ ବାଟ ନିକଟରେ ଏକ ବୃକ୍ଷଥିଲା,

ବୃକ୍ଷେ ଚଢ଼ି ଜଗୁଆଳ ବିଶ୍ରାମ ଲୋଡ଼ିଲା ।

ନିଶି ଅର୍ଦ୍ଧବେଳେ ଶୁଣି ଗହଳ ଚହଳ,

ଭୟେ ତା’ର ବୁକୁ କମ୍ପିଗଲା ବେଳୁ ବେଳ ।

ଦେଖିଲା ସେ ବାଘ, ସିଂହ,ଗଧିଆ,ଶିଆଳ,

ଜଳ-ଜୀବ ସହ ଧାଇଁଛନ୍ତି ବାନ୍ଧି ଦଳ ।

ବନପଥେ ଯାଉଛନ୍ତି ହୋଇ କୁହାକୋହି,

ରାଜା ଘରେ ପୁତ୍ର ଏକ ଅଛି ଜନ୍ମ ହୋଇ,

କିଏ ସେ କରିବ ତା’ର ଜୀବନ ସଂହାର,

କାହାର ଭାଗ୍ୟରେ ଅଛି ତା’ ମାଂସ ଆହାର ।

ଯାଆନ୍ତି ସରବେ ନିଜ ମନର ସୁଖରେ,

ରାଜକୁମାରକୁ ମାରି ବାହୁଡ଼ିବେ ଖରେ ।

ଶୁଣୁଥାଏ ଜଗୁଆଳ ବୃକ୍ଷ ପରେ ଥାଇ,

ଭାଳେ-ଆହା, ଶିଶୁଟିକୁ ଦେବେ ସିନା ଖାଇ ।

ଏକାଳେ ପାହାନ୍ତା ହେଲା ପକ୍ଷୀଏ ରାବିଲେ,

ବାଘ, ସିଂହ ଆଦି ପଶୁମାନେ ବାହୁଡ଼ିଲେ ।

କେ କହେ ତା’ ଭାଗ୍ୟେ ଆଜି ନାହିଁଟି ମରଣ,

କଷ୍ଟ ସହି ଦଉଡ଼ିଲେଁ ସିନା ଅକାରଣ ।

ବାର ବର୍ଷ ନପୂରିଲେ ସେ କାହୁଁ ମରିବ,

ରାଜପୁତ୍ର ଭାଗ୍ୟେ ଏହା ଲେଖିଛି ଦଇବ ।

ବାଘର ଭାଗରେ ତା’ର ପଡ଼ିବ ଶରୀର,

ଶୁଣି ଜଗୁଆଳ ମନେ କରିଲା ବିଚାର ।

ଏ ଖବର ରାଜପୁରେ ଦେବ ପହଞ୍ଚାଇ,

ପ୍ରଭାତେ ବୃକ୍ଷରୁ ବେଗେ ଆସିଲା ଓହ୍ଲାଇ ।

ନଗରକୁ ଯାଇ ରାଜ ପାରିଷଦ ପାଶେ,

ଜଣାଇଲା ଏ ସମ୍ବାଦ ଅତ୍ୟନ୍ତ ବିଶ୍ୱାସେ ।

ଯଥାକାଳେ ସବୁକଥା ଶୁଣିଲେ ରାଜନ,

ଚନ୍ଦ୍ରକଳା ବୃଦ୍ଧି ପରି ବଢ଼ଇ ନନ୍ଦନ ।

ଆଖି ପିଛୁଳାକେ କାଳ ଯାଉଅଛି ଗଡ଼ି,

ଦିନୁ ଦିନ ରାଜାମନେ ଚିନ୍ତା ଯାଏ ବଢ଼ି ।

ଏଗାର ବରଷ ପୂରି ହେଲା ବର୍ଷ ବାର,

ତୋଳାଇଲେ ରାଜା ଏକ ନିକାଞ୍ଚନ ଘର ।

ବାର ବର୍ଷ ଯେଉଁ ଦିନ ହୋଇବ ସମ୍ପୂର୍ଣ୍ଣ,

ସେ ଘରେ ରହିଲେ ଯାଇ ରାଜାର ନନ୍ଦନ ।

ଚାରି ପାରୁଶରେ ଜଗି ରହିଲେ ପ୍ରହରୀ ।

ଯୋଗକୁ ବାଘ ଆସିଲା ଦିନ କାଳ ବାରି ।

ପ୍ରହରୀ ଗୁଳିରେ ବାଘ ମଲା ଅଧ ଦୂରେ,

ଆନନ୍ଦ ଲହରୀ ଖେଳିଗଲା ରାଜପୁରେ ।

ପ୍ରଭାତେ ବାଘକୁ ନେଲେ ରାଜ ଦରବାରେ,

ଦେଖିବାକୁ ଲୋକେ ରୁଣ୍ଡ ହୋଇଲେ ସେଠାରେ ।

ରାଜପୁତ୍ର ଗଲେ ବାଘ ଦେଖିବାର ପାଇଁ,

ଦଶହାତ ଲମ୍ୱ ବାଘ ମରିଅଛି ଶୋଇ ।

ବଡ଼ ବଡ଼ ଦାନ୍ତ ତା’ର ହୋଇଛି ବାହାର,

ଦେଖି ରାଜପୁତ୍ର ପାଦେ କରିଲେ ପ୍ରହାର ।

ଦାନ୍ତ ଲାଗିଯାଇ ପାଦେ ହେଲା ଏକ କ୍ଷତ,

ବିଷ ଚରି ରାଜପୁତ୍ର ହେଲେ ଅଶକତ ।

ରାଜପୁତ୍ର ଆୟୁ ଶେଷ ହୋଇଲା ସେଦିନ

ଭାଗ୍ୟକୁ ଜିଣିବ ଭବେ ଅଛି କେଉଁ ଜନ ?

 

ପ୍ରଶ୍ନ

 

୧.

ଜଗୁଆଳ କିପରି ରାଜପୁତ୍ରର ମୃତ୍ୟୁ ଖବର ପାଇଲା ?

 

 

୨.

ରାଜପୁତ୍ର କିପରି ମଲେ ?

Image

 

ଭାରତଗୈାରବ-ଆଜାଦ

 

ପ୍ରତି ମୁହୂର୍ତ୍ତରେ ପୃଥିବୀରୁ ହଜାର ହଜାର ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଆତ୍ମୀୟ ସ୍ୱଜନମାନେ ମାସେ ଦୁଇ ମାସେ ବା ଖୁବ୍ ବେଶି ବର୍ଷେ ଅଧେ ସେମାନଙ୍କୁ ସ୍ମରଣରେ ରଖୁଛନ୍ତି, ପୁଣି ଭୁଲି ଯାଉଛନ୍ତି । କିନ୍ତୁ ଜଣେ ଜଣେ ଏପରି ମନୁଷ୍ୟ ଅଛନ୍ତି ଯାହାଙ୍କୁ କି ଯୁଗେଯୁଗେ ଲୋକେ ଝୁରି ହେଉଛନ୍ତି । ସେମାନେ ଯୋଗଜନ୍ମା । ସେମାନଙ୍କର ମାଟିର ଦେହ ସିନା ସଂସାରରୁ ଚାଲିଯାଇଛି, ମାତ୍ର ତାଙ୍କର କର୍ମ ତାଙ୍କୁ ମନୁଷ୍ୟମାନଙ୍କ ମଧ୍ୟରେ ବଞ୍ଚାଇ ରଖିଛି । ଏହିମାନଙ୍କ ମଧ୍ୟରେ ଆମର ମୈାଲାନା ଆବୁଲକାଲାମ ଆଜାଦ ଜଣେ ।

 

ଆମ ଦେଶରେ ସେ ‘ଆଜାଦ’ ନାମରେ ପରିଚିତ । ‘ଆଜାଦ’ ଶବ୍ଦ ତାଙ୍କ ନାମର ଏକ ଅଂଶ । ଆଜାଦର ଅର୍ଥ ସ୍ୱାଧୀନ । ମୈାଲାନା ଆବୁଲକାଲାମ ଖବର କାଗଜରେ ପ୍ରବନ୍ଧ ପ୍ରଭୃତି ଲେଖିଲେ, ନିଜକୁ ‘ଆଜାଦ’ ବୋଲି ଲେଖୁଥିଲେ । ସେହି ଦିନଠାରୁ ଲୋକେ ତାଙ୍କ ନାମପରେ ‘ଆଜାଦ’ ପଦଟିକୁ ଯୋଡ଼ି ରଖିଲେ ।

 

ମୈାଲାନା ଆଜାଦ ୧୮୮୭ ମସିହାରେ ମକ୍‌କାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ମହମ୍ମଦ ଖଇରୁଦ୍ଦିନ ଜଣେ ପଣ୍ଡିତ ଥିଲେ । ତାଙ୍କର ମାତା ମଧ୍ୟ ଜଣେ ବିଖ୍ୟାତ ପଣ୍ଡିତଙ୍କର କନ୍ୟା ଥିଲେ । ମହମ୍ମଦ ଖଇରୁଦ୍ଦିନଙ୍କର ଭାରତରେ ହଜାର ହଜାର ଶିଷ୍ୟ ଥିଲେ । ସେମାନେ ତାଙ୍କୁ ଭାରତରେ ବାସ କରିବା ପାଇଁ ବହୁ ଅନୁରୋଧ କରିବାରୁ ସେ ମକ୍‌କାରୁ ଚାଲିଆସି କଲିକତାରେ ରହିଲେ । ସେତେବେଳକୁ ମୌଲାନା ଆଜାଦଙ୍କୁ ମାତ୍ର ଦଶବର୍ଷ ।

 

Image

 

ମୌଲାନା ଆଜାଦ ତାଙ୍କ ବାପାଙ୍କ ଠାରୁ ଉର୍ଦ୍ଦୁ ଓ ମାଙ୍କଠାରୁ ଆରବୀ ଭାଷା ଶିକ୍ଷା କରିଥିଲେ । ଏହି ଦୁଇ ଭାଷାରେ କ୍ରମେ ସେ ପ୍ରବୀଣ ହୋଇ ଉଠିଲେ । ଅଳ୍ପ ବୟସରେ ସେ ଏପରି ସୁନ୍ଦରସୁନ୍ଦର କବିତା ଲେଖିଥିଲେ ଯେ ବଡ଼ ବଡ଼ ପଣ୍ଡିତ ଓ ଜ୍ଞାନୀମାନେ ମୁଗ୍‌ଧ ହୋଇ ତାଙ୍କ ପାଖକୁ ଉର୍ଦ୍ଦୁ ଓ ଆରବୀ ଶିଖିବାକୁ ଆସୁଥିଲେ ।

 

ମୌଲାନା ଆଜାଦ କୌଣସି ସ୍କୁଲରେ ଇଂରାଜୀ ଶିକ୍ଷାକରି ନ ଥିଲେ । ସେ ଘରେ ପଢ଼ି ଅଳ୍ପ ସମୟ ମଧ୍ୟରେ ଇଂରାଜୀ ଭାଷାରେ ପ୍ରବୀଣ ହୋଇ ଉଠିଥିଲେ । ନିଜ ମାତୃଭାଷା ପ୍ରତି ତାଙ୍କର ଅଧିକ ଶ୍ରଦ୍ଧା ଥିଲା । ତେଣୁ ସେ ସମସ୍ତଙ୍କ ସଙ୍ଗରେ ଉର୍ଦ୍ଦୁରେ କଥାଭାଷା କରୁଥିଲେ । ସେ କଂଗ୍ରେସର ସଭାପତି ଥିବାବେଳେ ରାଜନୀତି-ସମ୍ପର୍କୀୟ ଯୁକ୍ତିତର୍କମାନ ଉର୍ଦ୍ଦୁରେ କରୁଥିଲେ । ଏପରି କି ସମୟେ ସମୟେ ସାହେବମାନଙ୍କ ସଙ୍ଗରେ ଉର୍ଦ୍ଦୁରେ କଥା କହୁଥିଲେ । ନିଜ ମାତୃଭାଷାକୁ ଅବହେଳା କରି ଅନ୍ୟ ଭାଷାରେ ମନୋଭାବ ପ୍ରକାଶ କରିବାକୁ ସେ ଇଚ୍ଛା କରୁ ନ ଥିଲେ ।

 

ଅଠର ବର୍ଷ ବୟସରେ ସେ ଦେଶ ବିଦେଶ ବୁଲି ଲୋକମାନଙ୍କ ଅଭାବ ଅସୁବିଧା ଓ ଦୁଃଖ ଦୂର କରିବାରେ ଲାଗି ପଡ଼ିଲେ । ସେତିକିବେଳେ ବଙ୍ଗ ଦେଶକୁ ଦୁଇ ଭାଗ କରିବା ପାଇଁ ଇଂରେଜ ସରକାର ଠିକ୍‌ କରିଥାନ୍ତି । ମୌଲାନା ଆଜାଦ ଇଂରେଜଙ୍କର କୂଟନୀତି ବୁଝିପାରିଲେ । ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ କିପରି କଳହ ସୃଷ୍ଟି ନ ହେବ ସେ ତାହା ଚିନ୍ତା କଲେ । ଇଂରେଜଙ୍କର କୂଟନୀତିକୁ କଲିକତାର ଗୋଟିଏ ଖବର କାଗଜରେ ପ୍ରକାଶ କରିଦେଲେ । ସେଥିପାଇଁ ସରକାର ତାଙ୍କୁ ପାଞ୍ଚବର୍ଷ ରାଞ୍ଚିରେ ଅଟକବନ୍ଦୀ କରି ରଖିଲେ ।

 

ଖଲାସ ହୋଇ ସେ ମହାତ୍ମାଗାନ୍ଧିଙ୍କ ପରାମର୍ଶରେ ଅସହଯୋଗ ଆନ୍ଦୋଳନ ପ୍ରଚାର ଆରମ୍ଭ କଲେ । ତାଙ୍କର ଜ୍ଞାନ, ବିଚକ୍ଷଣ ବୁଦ୍ଧି ଓ ମଧୁର ବ୍ୟବହାରରେ କି ହିନ୍ଦୁ କି ମୁସଲମାନ ସମସ୍ତେ ମୁଗ୍‌ଧହୋଇ ତାଙ୍କ କଥାରେ ମାତି ଉଠିଲେ । ଇଂରେଜ ସରକାର ଏହା ସହି ନ ପାରି ତାଙ୍କୁ ପୁଣି ଜେଲରେ ବନ୍ଦୀ କଲେ ।

 

ମୌଲାନା ଆଜାଦ ବନ୍ଦୀ ଜୀବନରେ ମଧ୍ୟ ଅନେକଗୁଡ଼ିଏ ବହି ଲେଖି ପ୍ରଶଂସା ଅର୍ଜନ କରିଥିଲେ । ମହାତ୍ମାଗାନ୍ଧି ପଣ୍ଡିତ ଜବାହର ଲାଲ ନେହେରୁ ଓ ମୌଲାନା ଆଜାଦ ପ୍ରଭୃତି କେତେଜଣ ନେତାଙ୍କର ଅକ୍ଳାନ୍ତ ଉଦ୍ୟମ ଫଳରେ ଭାରତ ସ୍ୱାଧୀନ ହେଲା । ମୌଲାନା ଆଜାଦଙ୍କର ଶିକ୍ଷା ଓ ପଣ୍ଡିତ ପଣିଆର ସମ୍ମାନ ରକ୍ଷାକରି ତାଙ୍କୁ ଭାରତର ଶିକ୍ଷାମନ୍ତ୍ରୀ କରାଗଲା । ଦେଶରୁ କିପରି ନିରକ୍ଷରତା ଦୂର ହେବ ଓ ଅଧିକ ସ୍କୁଲ କଲେଜ ଖୋଲିବ, ସେଥିପାଇଁ ସେ ବହୁତ ଯତ୍ନ କରିଥିଲେ ।

 

ସେ ଅତି ଉଦାର ସ୍ୱଭାବର ଲୋକ ଥିଲେ । ସେ ଜେଲରେ ଥିବା ସମୟରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହେଲା । ଜେଲରୁ ବାହାରି ସେ ଦେଖିଲେ ଯେ ତାଙ୍କ ସ୍ତ୍ରୀଙ୍କର ସ୍ମୃତି ରକ୍ଷା ପାଇଁ କେତେକ ନେତା ଚାନ୍ଦା ଆଦାୟରେ ଲାଗିଛନ୍ତି । ମୌଲାନା ଆଜାଦ ଏ କାର୍ଯ୍ୟକୁ ପସନ୍ଦ କରି ନ ଥିଲେ । ସେ କହିଲେ– ‘‘ମୋ ସ୍ତ୍ରୀଙ୍କୁ ମୁଁ ଭଲ ପାଇପାରେ; ମାତ୍ର ଦେଶବାସୀ ତାଙ୍କୁ ଭଲ ପାଇବା ପରି ସେ ତ କୌଣସି କାର୍ଯ୍ୟ କରି ନାହାନ୍ତି ? ଅତଏବ ଦେଶର ଧନରେ ତାଙ୍କର ସ୍ମୃତିରକ୍ଷା ମୁଁ କରାଇ ଦେବି ନାହିଁ । ଏଥିରୁ ତାଙ୍କର ଦେଶ ପ୍ରେମ ସହଜରେ ଜଣାପଡ଼େ ।

 

ପରମ ପଣ୍ଡିତ ମୌଲାନା ଆଜାଦ ଆଜି ଇହଜଗତରେ ନାହାନ୍ତି । ମାତ୍ର ତାଙ୍କର ସ୍ମୃତି କୋଟି କୋଟି ଭାରତୀୟଙ୍କ ପ୍ରାଣରେ ବଞ୍ଚି ରହିଛି ।

 

ପ୍ରଶ୍ନ

 

୧.

ମୌଲାନା ଆଜାଦଙ୍କର ଜୀବନ ଇତିହାସ ସଂକ୍ଷେପରେ ଲେଖ ?

 

 

୨.

ମୌଲାନା ଆଜାଦ ତାଙ୍କର ସ୍ତ୍ରୀଙ୍କର ସ୍ମୃତିରକ୍ଷା କରିବାକୁ କାହିଁକି ପସନ୍ଦ କଲେ ନାହିଁ ?

Image

 

ଚୁରର ଗୌରବ

 

ଆମ ଦେଶ ସେତେବେଳେ ସ୍ୱାଧୀନ ହୋଇ ନ ଥାଏ । ଗୋରା ସାହେବମାନେ ଆମ ଦେଶକୁ ଶାସନ କରୁଥାଆନ୍ତି । ଆଜିକାଲି ପରି ସେତେବେଳେ ଆମ ଦେଶରେ ଏତେ ସ୍କୁଲ କଲେଜ ନ ଥାଏ । ପିଲାମାନେ ପାଞ୍ଚ ସାତ ମାଇଲ ଚାଲି ଚାଲି ଦୂର ଗାଁମାନଙ୍କୁ ପାଠ ପଢ଼ିବାପାଇଁ ଯାଉଥାନ୍ତି । ସେତିକିବେଳେ ଆମର ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାଶ ସତ୍ୟବାଦୀରେ ଗୋଟିଏ ସ୍କୁଲ ପ୍ରତିଷ୍ଠା କରିଥିଲେ । ସେ ସ୍କୁଲର ନାମ ବନ-ବିଦ୍ୟାଳୟ ତା’ରି ନିକଟରେ ବଉଳ ଓ ଛୁରିଅନାର ବଗିଚା ଅଛି । ବଉଳ ବନଟି ଯେପରି ପରିଷ୍କାର ପରିଚ୍ଛନ୍ନ, ଦେଖିବାକୁ ମଧ୍ୟ ସେହିପରି ସୁନ୍ଦର । ଧାଡ଼ି ଧାଡ଼ି ବଉଳ ଗଛମାନଙ୍କ ମୂଳରେ ବେଦୀ ସବୁ ନିର୍ମିତ ହୋଇଥାଏ । ତା’ରି ଉପରେ ବସି ଶିକ୍ଷକମାନେ ଆଗକାଳର ଋଷିକୁଳ ବିଦ୍ୟାଳୟ ପରି ଛାତ୍ରମାନଙ୍କୁ ପାଠ ପଢ଼ାନ୍ତି । ଅଧ୍ୟୟନ ସମୟର ଦୃଶ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ହୁଏ । ଡାଳମାନଙ୍କରେ କୋଇଲି କୁହୁ କୁହୁ ଗାଉଥାଏ । କଜଳପାତି ପ୍ରଭୃତି ପକ୍ଷୀମାନେ ଏ ଡାଳରୁ ସେ ଡାଳକୁ ଉଡ଼ି ବନର ଶୋଭାକୁ ବଢ଼ାଉ ଥାଆନ୍ତି । ଗଛମାନଙ୍କରେ ଫୁଟିଥିବା ଫୁଲର ମହକ ଭାସି ଆସୁଥାଏ । ସମୟେ ସମୟେ ଛାତ୍ରମାନଙ୍କ ମୁଣ୍ଡରେ ଗଛଝରା ଫୁଲ ଦେବ ଆଶିଷ ପରି ଝଡ଼ି ପଡ଼ୁଥାଏ । ପ୍ରକୃତିର ଏହି ମନୋହର ଦୃଶ୍ୟରେ ଛାତ୍ରମାନଙ୍କର ମନ ପ୍ରଫୁଲ୍ଲିତ ହୋଇ ପବିତ୍ର ଭାବର ସଂଚାର କରେ ।

 

ସେହି ବିଦ୍ୟାଳୟରେ ଆମ ଓଡ଼ିଶାର ବହୁ ପଣ୍ଡିତ ଶିକ୍ଷକତା କରୁଥିଲେ । ଗୋଟିଏ ବର୍ଷର କଥା–ସେ ବର୍ଷ ଜଣେ ନୂଆ ଶିକ୍ଷକ ବନ-ବିଦ୍ୟାଳୟ ପାଇଁ ନିଯୁକ୍ତ ହୋଇ ଆସିଥାନ୍ତି । ସେ ଛାତ୍ରମାନଙ୍କ ସହିତ ରହୁଥିଲେ । ତାଙ୍କର ସ୍ୱଭାବ-ସୁଲଭ ସରଳତାରେ ଅଳ୍ପକାଳ ମଧ୍ୟରେ ସେ ଛାତ୍ରମାନଙ୍କର ଅତ୍ୟନ୍ତ ପ୍ରିୟ ହୋଇ ଉଠିଥିଲେ । ତାଙ୍କର ଶିକ୍ଷାଦାନର କୌଶଳ ଓ ମଧୁର ବ୍ୟବହାର ଯୋଗୁ ଛାତ୍ର ମହଲ ଲୁହାରେ ଚୁମ୍ବକ ପରି ତାଙ୍କ ଆଡ଼କୁ ଟାଣିହୋଇ ପଡ଼ିଲେ । ଛାତ୍ରମାନଙ୍କର ଦୋଷ ତ୍ରୁଟିକୁ ସେ ଅତି ସତର୍କତା ଓ ବିଚକ୍ଷଣତା ସହ ସୁଧାରି ନେଉଥିଲେ । ଗୋଟିଏ ଘଟଣାରୁ ତାଙ୍କର ମହତ୍ୱର ପରିଚୟ ମିଳେ–

 

ବଉଳ ଓ ଛୁରିଅନା କୁଞ୍ଜରେ ବିଦ୍ୟାଳୟର ଶିକ୍ଷାଦାନ କାର୍ଯ୍ୟ ଚଳେ । ଛାତ୍ରମାନେ ଜଣେ ଶିକ୍ଷକଙ୍କ ନିକଟକୁ ଅଧ୍ୟୟନ ନିମନ୍ତେ ସେହି ଧାଡ଼ି ଧାଡ଼ି ବଉଳ ଓ ଛୁରିଅନା ଗଛ ଭିତର ଫାଙ୍କ ବାଟେ ଯାଉଥିଲେ । ଗଛଗୁଡ଼ିକ ପାଖ ପାଖ ହୋଇଥିବାରୁ ସାଧାରଣତଃ ଏ ଗଛର ଡାଳ ସେ ଗଛରେ ଛନ୍ଦାଛନ୍ଦି ହୋଇଥାଏ । ତାହା ଛଡ଼ା କେତେକ ଡାଳ ମଧ୍ୟ ଭୂମିକୁ ଓହଳି ପଡ଼ିଥାଏ । ସେହିବାଟେ ଯିବାବେଳେ ଛାତ୍ରମାନଙ୍କୁ ନଇଁ ନଇଁ ଯିବାକୁ ପଡ଼େ । ଡାଳଗୁଡ଼ିକ ମୁଣ୍ଡରେ ବାଜେ ବୋଲି ଛାତ୍ରମାନେ ବେଳେ ବେଳେ ତାହା ଭାଙ୍ଗି ଦେଉଥିଲେ । ବିନା କାରଣରେ ଗଛରୁ ଫୁଲ ପତ୍ର ଛିଣ୍ଡାଇବା ଏବଂ ଗଛର ଡାଳ ଭାଙ୍ଗିବାର କୁଅଭ୍ୟାସ ଅନେକ ବାଳକ ବାଳିକାଙ୍କର ଥାଏ । ଏହି କୁଅଭ୍ୟାସ ବା ଯିବାକୁ ଅସୁବିଧା ହେତୁ ଛାତ୍ରମାନେ ଗଛର ଡାଳ ଭାଙ୍ଗି ପକାଉଥିଲେ । ତେଣୁ ସ୍କୁଲରେ ଗୋଟିଏ ନିୟମ କରାଯାଇଥାଏ ଯେ ଗଛର ଡାଳ କେହି ଭାଙ୍ଗିବେ ନାହିଁ । କେହି ଛାତ୍ର ଏହି ନିୟମ ବ୍ୟତିକ୍ରମ କଲେ ଶାସ୍ତି ପାଇବେ । ଏହି ନିୟମ ହେବା ପରେ ଗୋଟିଏ ଦିନର ଘଟଣା–ସ୍କୁଲର ଘଣ୍ଟା ପଡ଼ିବାପରେ ଜଣେ ଛାତ୍ର ଏକ ଶ୍ରେଣୀରୁ ଅନ୍ୟ ଶ୍ରେଣୀକୁ ଯାଉଥିଲେ । ନୂତନ ଶିକ୍ଷକ ସେହି ଛାତ୍ରଟିର ପଛେ ପଛେ ନୀରବରେ ଯାଉଥାଆନ୍ତି, ଛାତ୍ରଟି ଏହା ଜାଣିପାରି ନଥିଲେ । ଶିକ୍ଷକଙ୍କ ପଛରେ ମଧ୍ୟ ଦଳେ ଛାତ୍ର ସେହି ଶ୍ରେଣୀକୁ ଯାଉଥିଲେ । ଆଗରେ ଥିବା ଛାତ୍ରଟି ହଠାତ୍ ଗୋଟିଏ ଡାଳ ଭାଙ୍ଗି ତଳେ ଫିଙ୍ଗିଦେଇ ଚାଲିଗଲା । ନୂତନ ଶିକ୍ଷକ ତା’ ପଛରେ ଆସୁଛନ୍ତି ବୋଲି ସେ ଜାଣିପାରି ନଥିଲେ । ଶିକ୍ଷକ ଛାତ୍ରଟିର ଏପରି କାର୍ଯ୍ୟ ଦେଖି ସଙ୍ଗେ ସଙ୍ଗେ ଡାଳଟିକୁ ତଳୁ ଉଠାଇ ପକାଇଲେ । ନିଜର ପିନ୍ଧା ଲୁଗାର କୁଞ୍ଚରୁ ୨।୩ ହାତ ଲମ୍ବର ଧଡ଼ି ଖଣ୍ଡେ ଚିରି ପକାଇଲେ । ଭଙ୍ଗା ଡାଳଟିକୁ ଗଛର ଭଙ୍ଗା ଅଂଶରେ, ଲୁଗା ଧଡ଼ିରେ ଉତ୍ତମ ରୂପେ ବାନ୍ଧି ଦେଲେ । ଶିକ୍ଷକଙ୍କ ପଛରେ ଥିବା ଛାତ୍ରମାନେ ଶିକ୍ଷକଙ୍କ କାର୍ଯ୍ୟ ଦେଖୁଥିଲେ । ଡାଳ ଭାଙ୍ଗି ଦେଇ ଛାତ୍ରଟି ଯେଉଁ ଶ୍ରେଣୀକୁ ଯାଇଥାଏ ଶିକ୍ଷକ ମଧ୍ୟ ସେହି ଶ୍ରେଣୀକୁ ଶିକ୍ଷାଦାନ ପାଇଁ ଗଲେ । ଦଣ୍ଡକ ମଧ୍ୟରେ ଏ କାନରୁ ସେକାନ ହୋଇ ଡାଳ ଭାଙ୍ଗିବା ଓ ଶିକ୍ଷକଙ୍କ ଯୋଡ଼ିବା କଥା ଶ୍ରେଣୀରେ ବିଜୁଳି ଗତିରେ ଖେଳିଗଲା । ଡାଳ ଭାଙ୍ଗିଥିବା ଛାତ୍ରଟି ଅଧୀର ହୋଇ ଶିକ୍ଷକଙ୍କ ପାଦତଳେ ପଡ଼ି କ୍ଷମା ମାଗିଲା । ‘‘ଆଉ ଦିନେ ଏପରି ନିୟମ ଭଙ୍ଗ କରିବି ନାହିଁ’’ ବୋଲି ପ୍ରତିଜ୍ଞା କରି ଶାସ୍ତି ପାଇଁ ଅପେକ୍ଷା କଲା ।

 

Image

 

ଶିକ୍ଷକ ତାଙ୍କର ସ୍ୱଭାବ-ସୁଲଭ ହସଟିଏ ହସି ଦେଇ ଛାତ୍ରଟିକୁ ତଳୁ ଉଠାଇ କହିଲେ– ‘‘ତୁମର ଦୋଷ ପାଇଁ ମୁଁ ଯେତେବେଳେ ଶାସ୍ତି ପାଇ ସାରିଛି ସେତେବେଳେ ତୁମକୁ ଶାସ୍ତି ଦେବାର ପ୍ରଶ୍ନ ଉଠୁନାହିଁ । ଭବିଷ୍ୟତରେ ଆଉ ଏପରି ନ କଲେ ଯଥେଷ୍ଟ ।’’

 

ଏ ଘଟଣାରେ ନୂଆ ଶିକ୍ଷକଙ୍କର ଛାତ୍ରସ୍ନେହ ଓ ବିଚକ୍ଷଣ ବୁଦ୍ଧିର ପରିଚୟ ପାଇ ଛାତ୍ରମାନେ ତାଙ୍କୁ ଦେବତା ପରି ମାନିଲେ ।

 

ସେହି ନୂତନ ଶିକ୍ଷକ ଆମର ପୂଜ୍ୟ ପଣ୍ଡିତ ଗୋଦାବରୀଶ ମିଶ୍ର । ସେ ଏମ୍‌. ଏ: ପାସକରି ହଜାର ହଜାର ଟଙ୍କା ବେତନର ସରକାରୀ ଚାକିରିର ଲୋଭ ଏଡ଼ାଇ ଦେଇଥିଲେ । ସେ ଉତ୍କଳମଣୀଙ୍କ ପ୍ରେରଣାରେ ଦେଶସେବାରେ ଜୀବନକୁ ବଳି ଦେଇ ଦେଶର ସମ୍ମାନ ଲାଭ କରିଛନ୍ତି-

 

ପ୍ରଶ୍ନ

 

୧.

ପଣ୍ଡିତ ଗୋଦାବରୀଶ ମିଶ୍ର ଛାତ୍ରମାନଙ୍କୁ ସ୍ନେହ କରିବାର କି ପ୍ରମାଣ ପାଇଛ କୁହ ?

 

 

୨.

ବନ-ବିଦ୍ୟାଳୟର ଦୃଶ୍ୟ ବର୍ଣ୍ଣନା କର ।

Image

 

ଜାତିର ଗୌରବ

 

ଝର ଝର ବାରି ବରଷେ

ପୁଣି ଅନ୍ଧାର ରାତି,

ତାରା ଚନ୍ଦ୍ର ଦେଖା ନାହାନ୍ତି

ଥରି ଉଠୁଛି ଛାତି ।

କପିଳେଶ୍ୱର ପୁର ନାମେ

ଅଛି ଶାସନ ଏକ,

ପୁରୀ କ୍ଷେତ୍ରଠାରୁ ନୁହଇ

ତାହା ଦୂର ଅନେକ ।

ଗ୍ରାମ୍ୟପଥେ ନିଶି ଅନ୍ଧାରେ

ଧରି କରରେ ବାଡ଼ି,

ଜଗନ୍ନାଥ ନାମ ସୁମରି

ଚାଲେ ବିଧବା ବୁଢ଼ୀ ।

ବଡ଼ ଦେଉଳର ବେଢ଼ାରେ

ବଟ ମୂଳରେ ଥାଇ,

ପୁରାଣ ପଣ୍ଡାଏ ଦିଅନ୍ତି

ଭାଗବତ ବୁଝାଇ ।

ଲୋକେ ନ ବୁଝନ୍ତି ସଂସ୍କୃତେ

ଭାଗବତ ଲେଖାକୁ,

ଓଡ଼ିଆ ଭାଷାରେ ପଣ୍ଡାଟି

ଦିଏ ବୁଝାଇ ତାକୁ ।

ବହୁ ଲୋକ ରୁଣ୍ଡ ହୁଅନ୍ତି–

ନିତି ଶୁଣିବା ଲାଗି,

କଉଡ଼ି ଦକ୍ଷିଣା ନିଅନ୍ତି

ପଣ୍ଡା ଶ୍ରୋତାଙ୍କୁ ମାଗି ।

ଦକ୍ଷିଣା ନ ନେଇ ସେଦିନ

ବୁଢ଼ୀ ଗଲେ ବାହାରି,

‘‘ପୁଅ ନାହିଁ ଘରେ, କାଲି ମୁଁ

ଦେବି,’’ କଲେ ଗୁହାରି ।

ପଣ୍ଡାଏ କହିଲେ– ‘‘ପୁରାଣ

ତେବେ ଶୁଣିବ କାଲି,

ବାହୁଡ଼ି ଆପଣା ବାଟରେ

ଯାଅ ଘରକୁ ଚାଲି ।’’

ଶ୍ରାବଣର ଧାରା ସମାନ

ବୁଢ଼ୀ ଲୁହ ଝରାଇ,

ଯେତେ ବିନୟରେ କହିଲେ

ପଣ୍ଡା ଶୁଣିଲେ ନାହିଁ ।

ଦାଶ ଦିବାକର ଦେଖିଲେ

ଥାଇଁ ଖଣ୍ଡେ ଦୂରରେ,

ପଣ୍ଡାଙ୍କ ଝିଙ୍ଗାସ ବଚନ

ଶୁଣି ହୃଦୟ ଥରେ ।

ଜଗନ୍ନାଥଙ୍କର ଶିଷ୍ୟ ସେ

ପୁଣି ପରାଣ-ସଖା,

ବୃଦ୍ଧାଙ୍କ ପଛରେ ଚାଲିଲେ

ପଥେ ନ ଦେଇ ଦେଖା ।

କାନ୍ଦି କାନ୍ଦି ବୃଦ୍ଧା କହନ୍ତି–

‘‘ଜଗନ୍ନାଥ କି କଲ,

ଆଜଦିନ ମୋର ପୁରାଣ–

ଶୁଣା ହେଲା ବିଫଳ ।

ଦୁଆର ମୁହଁରେ ପହଞ୍ଚି

ମାରି କବାଟେ ହାତ,

ବୃଦ୍ଧା ଡାକ ଦେଲେ ପୁତ୍ରଙ୍କୁ

‘‘ଫିଟା ରେ ଜଗନ୍ନାଥ ।’’

କବାଟ ଫିଟାଇ ପୁଚ୍ଛିଲେ

ଜଗନ୍ନାଥ ମାତାଙ୍କୁ,

ଯାଇ ନାହୁଁ କିବା ବରଷା

ହେତୁ ଦେଉଳଠାକୁ ?

ଏଡ଼େ ବେଗେ କହ କିପରି

ଆଜି ଆସିଲୁ ଫେରି,

ନୀରବ ରହିଲେ ଜନନୀ

ପଡ଼େ ଲୋତକ ଝରି ।

କି ହେଲା ? କାହିଁକି ମାତା ଗୋ

ଏଡ଼େ ବିରଷ ମନ,

ଦିବାକର ଦାଶ କହିଲେ–

ଜାଣେ ମୁହିଁ କାରଣ ।

ପଛେ ପଛେ ମୁହିଁ ତାଙ୍କର

ମନ୍ଦିରରୁ ଆସୁଛି,

କାନ୍ଦି କାନ୍ଦି ଫେରୁଛନ୍ତି ସେ

ନେତ୍ରେ ସବୁ ଦେଖିଛି ।

ମାତୃ ଅପମାନ ସୁଝିବ

ଯେବେ ପ୍ରତିଜ୍ଞା କର

କଥାଏ କହିବି ତୁମ୍ଭଙ୍କୁ

ରଖ ବିନତି ମୋର ।

ଉତ୍କଳ ଭାଷାରେ ଦାଶେ ହେ,

ଭାଗବତ ଲେଖିବ,

ଜନନୀଙ୍କ ଅପମାନର

ଋଣ ତେବେ ସୁଝିବ ।

ସ୍ୱର୍ଗରୁ ପଡ଼ିଲା ସମାନ

ଦାଶେ ଚମକି ଗଲେ,

ଦେବ ଭାଷା ଓଡ଼ିଆରେ ମୁଁ

ଲେଖିବି କି ବୋଇଲେ ।

ଦିବାକର ତାଙ୍କୁ କହିଲେ–

ତାହା ଜାଣେ ମୁଁ ଭଲେ

ଲୋକେ ତାହା କାହୁଁ ବୁଝିବେ

ପରାକୃତେ ନୋହିଲେ ।

ଆଜି ଏଇ ଶୁଭ ଘଡ଼ିରେ

ଲେଖା ଆରମ୍ଭ କର,

ମାତୃ ଆଶୀର୍ବାଦେ ଶକତି

ନିଶ୍ଚେ ହେବ ତୁମ୍ଭର ।

କାଳ କାଳ ପାଇଁ ଜଗତେ

ତୁମ୍ଭ ଯଶ ରହିବ,

ଜଗନ୍ନାଥ ଦାଶ ନାମକୁ

ଇତିହାସ ଗାଇବ ।

ଜାତିବର୍ଣ୍ଣ ଧର୍ମ ବିଚାର

ଲେଶ ନଥିବ ତହିଁ,

କଣ୍ଠେ କଣ୍ଠେ ଫୁଟି ଉଠିବ

ଅତି ବଡ଼ି ଗୋସାଇଁ ।

ଜଗନ୍ନାଥ ନାମ ସୁମରି

ଜଗନ୍ନାଥ ସେଦିନ

ରଚନା କରିଲେ ଆରମ୍ଭ

ଛୁଇଁ ମାତୃ ଚରଣ ।

ଉତ୍କଳ ସାହିତ୍ୟ ଭଣ୍ଡାରେ

ଭାଗବତ ଅମର,

ଧନ୍ୟ ଜଗନ୍ନାଥ ଦାଶ ହେ !

ଭଗବାନ କୁମର ।

 

ପ୍ରଶ୍ନ

 

୧.

ପୂର୍ବେ ଭାଗବତକୁ କାହଁକି ସମସ୍ତେ ବୁଝିପାରୁ ନ ଥିଲେ ?

 

 

୨.

ଜଗନ୍ନାଥ ଦାଶ କିପରି ମାତୃ ଅପମାନର ପରିଶୋଧ କଲେ ?

Image

 

ବିଚିତ୍ର ଜୀବ

 

ପୂର୍ବେ ସିନା ସାହେବମାନଙ୍କ ଦେଶକୁ ଯିବାକୁ ମାସ ମାସ ଧରି ସମୟ ଲାଗୁଥିଲା ଏବଂ ସେ ଦେଶ କଥା ଆମକୁ ଭାରି ଆଶ୍ଚର୍ଯ୍ୟ ଲାଗୁଥିଲା, ଏବେ ତ ଆଉ ସେ କଥା ନାହିଁ । ଉଡ଼ାଜାହାଜ ପାଇଁ ସେ ଦେଶ ଆମର ଖୁବ୍‌ ନିକଟ ହୋଇ ଗଲାଣି । ଆମ ଦେଶର ଲୋକେ ଉଚ୍ଚ ଶିକ୍ଷା ପାଇଁ, କେହି କେହି ବା କୌଣସି ବିଦ୍ୟାରେ ବିଶେଷଜ୍ଞ ହେବା ପାଇଁ, ସେ ଦେଶକୁ ବରାବର ଯିବା ଆସିବା କରୁଛନ୍ତି ।

 

ଶିବଶଙ୍କର ବାବୁ ସରକାରୀ ବୃତ୍ତିରେ ଆମେରିକା ଗଲାବେଳେ ସାଙ୍ଗରେ ଗଲେ ତାଙ୍କର ସ୍ତ୍ରୀ ଓ ଆଠ ବର୍ଷର ପୁଅ ବାବୁଲି । ଶିବଶଙ୍କର ବାବୁ ଆମେରିକାର ମାନଚିତ୍ରରୁ ସେ ଦେଶର ପରିଚୟ ପାଇଥିଲେ । ଆମେରିକା ମହାଦେଶର ବର୍ଣ୍ଣନା ଭୂଗୋଳ ବହିରୁ ଜାଣିଥିଲେ; ମାତ୍ର ବାବୁଲି ପାଇଁ ଆମେରିକା ଏକାବେଳେ ନୂଆ । ସତେ ଯେପରି ମର୍ତ୍ତ୍ୟର ଲୋକ ସ୍ୱର୍ଗ ରାଜ୍ୟରେ ବୁଲୁଛି । ସେହିପରି ତାକୁ ଲାଗୁଥାଏ । ପିଲା ମନ ତ ! ବାପାଙ୍କ ସାଙ୍ଗରେ ସବୁବେଳେ ଅଳି– ଆଜି ଏଠାକୁ ଯିବି, କାଲି ସେଠାକୁ ଯିବି । ଶିବଶଙ୍କରବାବୁ ବଡ଼ ଅଡ଼ୁଆରେ ପଡ଼ନ୍ତି । ଯେଉଁ କାମପାଇଁ ସରକାର ପଠାଇଛନ୍ତି, ସେ କାମ କରିବେ ନା– ଦିନରାତି ଆମେରିକାର ବଣ, ପାହାଡ଼ ରାସ୍ତାଘାଟ ଦୋକାନ ବଜାର ଚାରିଆଡ଼ ବୁଲି ବାବୁଲିକୁ ଦେଖାଇବେ ? ସେଥିପାଇଁ ସେ ସ୍ଥିର କଲେ ପ୍ରତିଦିନ ଅଫିସରୁ ଆସି ଘଣ୍ଟାଏ ବାବୁଲିକୁ ଆମେରିକାର ଗଳିକନ୍ଦି, ପାହାଡ଼ ଜଙ୍ଗଲ ବୁଲେଇ ଦେଖାଇବେ ।

 

Image

 

ଦିନେ ଓପରଓଳି ପାଗ ଖୁବ ଭଲ ଥାଏ । ବାବୁଲି ତା’ର ପୋଷାକ ପିନ୍ଧି ବାପାଙ୍କ ସାଙ୍ଗରେ ଯିବାପାଇଁ ବାହାରି ପଡ଼ିଲା । ଶିବଶଙ୍କର ବାବୁ ବାବୁଲିକୁ ନାନା କଥା ବୁଝାଇ ବୁଝାଇ ଯାଉଥାନ୍ତି । ସେମାନେ ଗୋଟିଏ ଛୋଟ ନଈ କୂଳରେ ପହଞ୍ଚିଲେ । ହଠାତ୍‌ ବାବୁଲିର ନଜର ପଡ଼ିଗଲା ଗୋଟିଏ କାଠ ଉପରେ । କାଠ ଗଡ଼ଟା ନିଜ ମନକୁ ଗଡ଼ିଲା ପରି ଦିଶୁଛି । ଏହା ଦେଖି ବାବୁଲି ଭାରି ଆଶ୍ଚର୍ଯ୍ୟ ହୋଇଗଲା । ସେ ସାଙ୍ଗେ ସାଙ୍ଗେ ବାପାଙ୍କୁ କହିଲା–‘‘ବାପା ! ଦେଖ, ଦେଖ, କାଠ ଗଡ଼ଟା କିପରି ନିଜ ମନକୁ ଗଡ଼ୁଛି ।’’ ଶିବଶଙ୍କର ବାବୁ ବାବୁଲିର ଅଙ୍ଗୁଳିର ଇଙ୍ଗିତ ସ୍ଥାନକୁ ଅନାଇଁ ଦେଇ କିଛି ବୁଝିପାରିଲେ ନାହିଁ । ସେମାନେ ଆହୁରି ଟିକିଏ କାଠଗଡ଼ ନିକଟକୁ ଆସିବାରୁ ଦେଖିପାରିଲେ ଯେ କେତେଗୁଡ଼ିଏ ଛୋଟ ଜୀବ କାଠଗଡ଼ଟାକୁ ଗଡ଼େଇ ଗଡ଼େଇ ନେଉଛନ୍ତି । ଜୀବଗୁଡ଼ିକ ଦେଖିବାକୁ ପ୍ରାୟ ଆମ ଦେଶର ମୂଷାପରି । ଆମ ଦେଶର ମୂଷାମାନେ ତ ଏପରି କାମ କରନ୍ତି ନାହିଁ । ଶିବଶଙ୍କର ବାବୁ କିଛି ବୁଝିପାରିଲେ ନାହିଁ । ସେହିଠାରେ ବାବୁଲିକୁ ଧରି ଠିଆହେଲେ । କ୍ରମେ ସେ ଜୀବଗୁଡ଼ିକ କାଠଗଡ଼ଟିକୁ ଗଡ଼େଇ ଗଡ଼େଇ ନଦୀ କୂଳକୁ ନେଲେ-। ବାବୁଲିର ଯେପରି କୌତୁହଳର ସୀମା ରହିଲା ନାହିଁ, ଶିବଶଙ୍କର ବାବୁଙ୍କର ସେହିପରି ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଯୋଗକୁ ସେତିକିବେଳେ ସେ ବାଟରେ ଜଣେ ଆମେରିକାର ଅଧିବାସୀ ଯାଉଥିଲେ । ଶିବଶଙ୍କର ବାବୁ ସେ ଜୀବଗୁଡ଼ିକୁ ଦେଖାଇ ସାହେବଙ୍କୁ ପଚାରିଲେ– ‘‘ଏଗୁଡ଼ିକ କି ଜୀବ ?’’ ସାହେବ ହସି ହସି କହିଲେ– ‘‘ଆପଣଙ୍କ ଦେଶରେ କ’ଣ ଏପରି ଜୀବ ନାହାନ୍ତି ?’’ ଏଗୁଡ଼ିକ 'ବିଭର' । ଏମାନଙ୍କର ଶରୀର ସିନା କ୍ଷୁଦ୍ର, ମାତ୍ର ଏମାନଙ୍କର ବୁଦ୍ଧି ମନୁଷ୍ୟ ବୁଦ୍ଧିଠାରୁ ସରସ । ବାବୁଲି ପିଲାଦିନୁ କନଭାଣ୍ଟ ସ୍କୁଲରେ ପଢ଼ୁଥିଲା । ତେଣୁ ସେ ଇଂରାଜୀ ଅଳ୍ପ ଅଳ୍ପ ବୁଝିପାରୁ ଥିଲା । ଏ କଥା ଶୁଣି ବାପାଙ୍କ ସାଙ୍ଗରେ ବିଭର ବିଷୟ ଶୁଣିବା ପାଇଁ ଅଳି କଲା । ଶିବଶଙ୍କରବାବୁ ବିଭରମାନଙ୍କ କଥା ଶୁଣିବା ପାଇଁ ସାହେବଙ୍କୁ ଅନୁରୋଧ କଲେ ।

 

ସାହେବ କହିଲେ– ‘‘ବିଭର ମନୁଷ୍ୟ ଠାରୁ ଅଧିକ ଚତୁର । କୌଣସି କୌଣସି ଇଞ୍ଜିନିୟର ବିଭରମାନଙ୍କ କାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି ।’’

 

ଏମାନେ ନଈକୂଳରେ ବସା ତିଆରି କରନ୍ତି । ମାଟିତଳେ କାଠ, ପଥର ଓ ଡାଳପତ୍ର ଦେଇ ବସାଟିକୁ ବେଶ ସୁଦୃଢ଼ କରନ୍ତି । ଶିବଶଙ୍କର ବାବୁ ପଚାରିଲେ– ‘‘ତେବେ ଏମାନେ ଯେଉଁ କାଠଗଡ଼ଟା ନେଉଛନ୍ତି, ସେଥିରେ ବୋଧହୁଏ ବସା ତିଆରି କରିବେ ।’’

 

ସାହେବ କହିଲେ– ‘‘ନା ନା ଏ କାଠଟିକୁ ସେମାନେ ଗଡ଼େଇ ଗଡ଼େଇ ପାଣି ପାଖକୁ ନେଉଛନ୍ତି । ଏହି ଗଡ଼ଟିକୁ ଭେଳା କରି ଏହା ଉପରେ ମାଟି ପଥର ବୋଝେଇ କରି ବସା ତିଆରିପାଇଁ ରଖିବେ । ଏମାନେ ଗଛମୂଳରୁ ନଈକୂଳ ପର୍ଯ୍ୟନ୍ତ ସରୁ ନାଳଟିଏ ଖୋଳି ଥାଆନ୍ତି । ଏମାନଙ୍କର ଦାନ୍ତ ଖୁବ୍‌ ଟାଣ । ଦାନ୍ତରେ ବଡ଼ବଡ଼ ଗଛଗୁଡ଼ିକୁ ପାଞ୍ଚ ସାତ ଗଡ଼ କରି କାଟି ପକାନ୍ତି । ସେମାନେ ଗଡ଼ଟିକୁ ଗଡ଼େଇ ଗଡ଼େଇ ଖୋଳିଥିବା ନାଳରେ ପକାନ୍ତି । ଗଛରି ବକଳା, ସରୁ ସରୁ ଡାଳ ଓ ହାଲୁକା ନରମ କାଠ ଏମାନଙ୍କର ଖାଦ୍ୟ । ଏହି ଖାଦ୍ୟଗୁଡ଼ିକ ଯୋଗାଡ଼ କରି କିମ୍ବା ବସା ତିଆରି ପାଇଁ ମାଟି ପଥର ସଂଗ୍ରହ କରି ଏହି ଉପରଆଡ଼ୁ ବର୍ଷାପାଣି ନାଳଆଡ଼କୁ ଗଡ଼ିଆସେ । ସେଇ ସୁଅରେ କାଠ ଗଡ଼ଟି ଭାସି ନଈ କୂଳକୁ ଯାଏ । ସେଠାରୁ ସେମାନେ ବୋଝେଇ ମାଲ ଉତାରନ୍ତି ।

 

ସେମାନେ ନିଜ ବସାରୁ ନଈକୁ ଗୋଟିଏ ଗୋପନବାଟ କରିଥାନ୍ତି । କାଳେ ବସାକୁ ନଈପାଣି ମାଡ଼ିଯିବ ସେଥିପାଇଁ ବସା ଦ୍ୱାର ମୁହଁରେ ଗୋଟିଏ ଶକ୍ତ ବନ୍ଧ ତିଆରି କରି ଦିଅନ୍ତି । ବନ୍ଧଟିକୁ ଠିକ୍‌ ଧନୁ ଆକାରରେ ତିଆରି କରନ୍ତି । ଏପରି ଭାବରେ ହିସାବ ରଖି ବନ୍ଧଟିକୁ ତିଆରି କରନ୍ତି ଯେ ପାଣି ଧକା ଠିକ୍‌ ବନ୍ଧ ମଝିରେ ବାଜେ । ଏମାନେ ଥରେ ୩୮୦ ଫୁଟ ଲମ୍ବ ଓ ୫ ଫୁଟ ଚଉଡ଼ାର ଗୋଟିଏ ବନ୍ଧ ବାନ୍ଧିଥିଲେ । ତାହା ଏତେ ଶକ୍ତ ହୋଇଥିଲା ଯେ ବଡ଼ ବଡ଼ ଇଞ୍ଜିନିୟର ମାନେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏମାନେ ଭାରି ମିଳିମିଶି ଚଳନ୍ତି ।’’

 

ଶିବଶଙ୍କର ବାବୁ କହିଲେ– ହଁ, ମିଳିମିଶି ଚଳନ୍ତି ବୋଲି ସେମାନେ ଆକାରରେ ଏତେ କ୍ଷୁଦ୍ର ହୋଇ ମଧ୍ୟ ଅସାଧ୍ୟ କାର୍ଯ୍ୟ କରି ପାରୁଛନ୍ତି । ଆଚ୍ଛା, ଏ ଜନ୍ତୁ କ’ଣ କେବଳ ଆପଣଙ୍କ ଦେଶରେ ଥାଆନ୍ତି ?’’

 

ସାହେବ କହିଲେ– ‘‘ନା, ନା ଏମାନେ ଇଉରୋପ ଓ ଏସିଆର ଉତ୍ତର ପାଖରେ ମଧ୍ୟ ଅଛନ୍ତି ।’’

 

ଶିବଶଙ୍କର ବାବୁ ପଚାରିଲେ– ‘‘ଏମାନେ ମନୁଷ୍ୟମାନଙ୍କର କିଛି ଅନିଷ୍ଟ କରନ୍ତି କି ?’’

 

‘‘ସାହେବ କହିଲେ–ମନୁଷ୍ୟଙ୍କର ଏମାନେ କିଛି ଅନିଷ୍ଟ କରନ୍ତି ନାହିଁ, ତଥାପି ମନୁଷ୍ୟ ଏମାନଙ୍କର ଶତ୍ରୁ । ମନୁଷ୍ୟମାନେ ବିଭରମାନଙ୍କୁ ଫାଶ ବସାଇ ଧରି ତାଙ୍କ ଚମରେ ଟୋପି, ଗଳାବନ୍ଧା ପ୍ରଭୃତି ତିଆରି କରନ୍ତି । ଏହା ବ୍ୟବୀତ ଅନ୍ୟାନ୍ୟ ହିଂସ୍ର ଜନ୍ତୁମାନେ ଏମାନଙ୍କର ବସା ଭାଙ୍ଗି ଦିଅନ୍ତି ।’’ ବିଭରମାନଙ୍କ କଥା ଶୁଣି, ଶିବଶଙ୍କର ବାବୁ ଆଶ୍ଚର୍ଯ୍ୟ ହୋଇଗଲେ । ସାହେବ ତାଙ୍କର କଥା ଶେଷକରି ନମସ୍କାର କହି ଚାଲିଗଲେ । ଶିବଶଙ୍କର ବାବୁ ବାବୁଲିକୁ ସଙ୍ଗରେ ନେଇ ବିଭର ଗଡ଼ାଇ ଥିବା କାଠ ପାଖକୁ ଗଲେ । ବିଭରମାନେ ଏମାନଙ୍କୁ ଦେଖି ଭୟରେ ଏଆଡ଼େ ସିଆଡ଼େ ଦୌଡ଼ି ପଳାଇଲେ । ସେମାନେ ଦେଖିଲେ ବିଭରଗୁଡ଼ିକ ଠିକ୍‌ ଆମ ଦେଶ ମୂଷାପରି ଦିଶୁଥାନ୍ତି । ଅଳ୍ପ ସମୟ ଠିଆହୋଇ ବାପ ପୁଅ ଦୁହେଁ ଘରକୁ ଫେରିଲେ । ଆସିବା ବାଟରେ ଶିବଶଙ୍କରବାବୁ ବିଭରଙ୍କ କଥା ଉତ୍ତମ ରୂପେ ବାବୁଲିକୁ ବୁଝାଇ କହିଲେ । ବାବୁଲି ଖୁବ୍‌ ଖୁସି ହେଲା । ଘରେ ପହଞ୍ଚି ମା’ଙ୍କ ଆଗରେ ଗୋଟି ଗୋଟି କରି ସବୁ ଗପିଲା । ଶିବଶଙ୍କର ବାବୁ ବର୍ଷକପରେ ଆମେରିକାରୁ ଫେରିଲେ । ବାବୁଲି ଦେଶକୁ ଆସି ନିଜ ସ୍କୁଲର ପିଲାମାନଙ୍କ ଆଗରେ ବିଭର ବିଷୟ କହି ସେମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଲା ।

 

ପ୍ରଶ୍ନ

 

୧.

ବିଭର କେଉଁ ଦେଶରେ ଦେଖିବାକୁ ମିଳେ ?

 

 

୨.

ସେମାନେ କିପରି ଓ କେଉଁଠି ବସା ତିଆରି କରି ରହନ୍ତି, ଲେଖ ।

Image

 

ଆମର ଶତ୍ରୁ

 

ଜଙ୍ଗଲରେ ବାସ କରୁଥିବା ବାଘ, ସିଂହ ପ୍ରଭୃତି ହିଂସ୍ର ଜନ୍ତୁମାନଙ୍କୁ ଆମେ ଡରୁ । ସେମାନେ ଆମର ଶତ୍ରୁ ବୋଲି ଭାବୁ । କିନ୍ତୁ ସେମାନଙ୍କଠାରୁ ଆହୁରି ଅନିଷ୍ଟକାରୀଜୀବ ଆମଦେଶରେ ଅଛନ୍ତି । ସେମାନେ ବାଘ, ସିଂହଙ୍କ ଠାରୁ ଆହୁରି ହିଂସ୍ର ଓ ଅନିଷ୍ଟକାରୀ । ବାଘ ଖାଇଲେ ଗାଁ ଭିତରୁ କେତେ ଗୋଟା ମାତ୍ର ମଣିଷ ଖାଇଦିଏ ବା କାହା ଗୁହାଳରୁ ଗାଈ ବାଛୁରିଟାଏ ନେଇ ପଳାଏ, କିନ୍ତୁ ଏମାନେ ଦେଶରେ ବେଳେ ବେଳେ ଦୁର୍ଭିକ୍ଷ ପକାଇ ଖାଦ୍ୟ ବିନା ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ନଷ୍ଟ କରନ୍ତି । ଏମାନେ ହେଉଛନ୍ତି ପଙ୍ଗପାଳ । ଝିଣ୍ଟିକା ଓ ପଙ୍ଗପାଳ ଶରୀର ଗଠନରେ ପ୍ରାୟ ଏକ ଶ୍ରେଣୀୟ ହେଲେ ମଧ୍ୟ ସ୍ୱଭାବରେ ଉଭୟେ ଉଭୟଙ୍କ ଠାରୁ ଭିନ୍ନ । ଝିଣ୍ଟିକା ବାଡ଼ି ବଗିଚାର କଅଁଳ ପତ୍ର ଓ ଭୂମିରୁ ପୋକ ଖାଇ ଝିଁ ଝିଁ ଡାକି ମନଖୁସିରେ ଗୀତ ଗାଇ ବୁଲନ୍ତି; କିନ୍ତୁ ପଙ୍ଗପାଳଙ୍କର ସବୁବେଳେ ପେଟଚିନ୍ତା । ତୁମ୍ଭେମାନେ ଭାବୁଥିବ ପେଟଚିନ୍ତା ନ କରେ କିଏ ? ସତକଥା–ପେଟଚିନ୍ତା, ସମସ୍ତେ କରନ୍ତି, ହେଲେ ସବୁବେଳେ ନୁହେଁ । ମଣିଷର ସିନା ଖାଇବା ପାଇଁ ଦିନରେ କେତେକ ନିର୍ଦ୍ଧିଷ୍ଟ ସମୟ ଅଛି, ଅନ୍ୟ ଜନ୍ତୁଙ୍କର ତ ସେପରି ନାହିଁ ? ସେମାନେ ଭୋକ ହେଲେ ଖାଆନ୍ତି । ପେଟ ପୂରିଲେ ଘୂରି ବୁଲନ୍ତି । ଦେଖିଥିବ ତ, କଅଁଳା ବାଛୁରୀ ମା ଠାରୁ ପେଟେ ଖିର ପିଇ କିପରି ମନଖୁସିରେ ଡିଏଁ ? ପଙ୍ଗପାଳ ଛଡ଼ା ଜୀବଜଗତରେ କେହି ଏତେ ପେଟୁନୁହଁନ୍ତି । ସେମାନେ ଯେତେ ଖାଇଲେ ତାଙ୍କର ପେଟପୂରେ ନାହିଁ । ତାଙ୍କର 'ପେଟ ନା ସେ ବାରବାଟୀ କୋଟ ?'

 

ପଙ୍ଗପାଳମାନେ ସାଧାରଣତଃ ପାହାଡ଼ିଆ ଜାଗାମାନଙ୍କରେ ବାସକରନ୍ତି । ସେମାନଙ୍କର ନିର୍ଦ୍ଧିଷ୍ଟ ବାସସ୍ଥାନ ନାହିଁ । ଖାଦ୍ୟ ଖୋଜିବା ପାଇଁ ସାରାଜୀବନ ଏଣେ ତେଣେ ଘୂରନ୍ତି-। ଯେଉଁଠି ରାତିହୁଏ, ସେଇଠି ଦଳ ଦଳ ହୋଇ ଗଛ ପତ୍ରରେ ବିଛେଇ ହୋଇ ରହନ୍ତି । ରାତିରେ ଖାଲି ବସି ରହନ୍ତି ଭାବୁଛ କି ? ନା ତା ନୁହେଁ । ଅନ୍ଧାରରେ ମଧ୍ୟ ପାଟି ପାଖରେ ଖାଦ୍ୟଥିଲେ ଖାଆନ୍ତି ।

 

ପଙ୍ଗପାଳଙ୍କ ଭିତରେ ଅନେକ ପ୍ରକାର ପଙ୍ଗପାଳ ଦେଖିବାକୁ ମିଳନ୍ତି । ଗୋଟିଏ ଇଞ୍ଚକୁ ଚାରିଭାଗ କଲେ ଭାଗକୁ ଯେତିକି ହେବ ଜାତିଏ ପଙ୍ଗପାଳଙ୍କର ଲମ୍ବ ସେତିକି । ଆଉ ଜାତିଏ ପଙ୍ଗପାଳ ତିନି ଚାରି ଇଞ୍ଚରୁ ଅଧିକ ଲମ୍ବ । ଏମାନଙ୍କ ମୁଣ୍ଡରେ ଭଅଁରର ନାଉଡ଼୍‌ ପରି ଦୁଇଟା ନାଉଡ଼୍‌ ଥାଏ । ଚାରିଟା ବଡ଼ ବଡ଼ ଗୋଡ଼ । ଗୋଡ଼ର ଶେଷ ଭାଗର ଦୁଇଧାରରୁ ଗୁଡ଼ିଏ ଛୋଟ ଛୋଟ କଣ୍ଟା ଥାଏ ତା ସାହାଯ୍ୟରେ ସେ ଉଡ଼େ । ଏମାନେ ଥରକେ ଅସଂଖ୍ୟ ଡିମ୍ବ ଦେଇ ପାରନ୍ତି । ନିଜର ନାଉଡ଼୍‌ ଦ୍ୱାରା ଭୂମିରେ ଗହିରିଆ ଗାତମାନ ଖୋଳି ପକାନ୍ତି ଓ ତା’ରି ଭିତରେ ଡିମ୍ବ ଦିଅନ୍ତି । ଆଉ ଗୋଟିଏ ପ୍ରକାର ପଙ୍ଗପାଳ ଅଛନ୍ତି । ସେମାନେ ଗଛ ଡାଳରେ ଡିମ୍ବ ଦିଅନ୍ତି । ଛୁଆ ଗୁଡ଼ିକ ଡିମ୍ବରୁ ବାହାରିଲେ ତଳକୁ ଖସି ପଡ଼ନ୍ତି । ଡିମ୍ବରୁ ବାହାରିବା ବେଳେ ତାଙ୍କର ଡେଣା ନଥାଏ । ଖାଲି ଦେହରୁ ପରସ୍ତ ପରସ୍ତ କାତି ଛାଡ଼େ । ସେମାନେ ଜନ୍ମ ହୋଇଥିବା ବେଳେ ବଡ଼ ଭୋକିଲା ଥାନ୍ତି । ତେଣୁ ସେମାନେ ସେହି ସ୍ଥାନରେ ଯାହା ପାଆନ୍ତି, ଚରି ଯାଆନ୍ତି । ସେଠାରୁ ଖାଦ୍ୟ ଶେଷ ହୋଇଗଲେ କ’ଣ ଖାଇବୁ ବୋଲି ମା ସାଙ୍ଗରେ ଅଳିକରନ୍ତି । ମା କହେ– ‘‘ଯାହା ପାଉଛ ତାହା ଖାଇ ଯା ।’’ ତା’ପରେ ଏମାନେ ଦଳ ଦଳ ହୋଇ ଉପରକୁ ଉଡ଼ନ୍ତି । ଏମାନେ ଦଳ ବାନ୍ଧି ଆକାଶରେ କୋଡ଼ିଏ ମାଇଲରୁ ପଚିଶି ମାଇଲ ପର୍ଯ୍ୟନ୍ତ ବ୍ୟାପୀ ଖାଦ୍ୟ ଖୋଜନ୍ତି । ଏମାନେ ଉଡ଼ିଲା ବେଳେ ମେଘ ଘୋଟିଲା ପରି ଅନ୍ଧାର ହୋଇଯାଏ । ଯେଉଁ ଦେଶ ଉପରେ ଏମାନେ ଉଡ଼ନ୍ତି ସେ ଦେଶରେ ଦୁର୍ଭିକ୍ଷ ପଡ଼ିବ ବୋଲି ଲୋକେ ଭୟଭୀତ ହୋଇଯାନ୍ତି । ଏମାନେ ଗଛ, ପତ୍ର, ଲଟା ଓ ଶସ୍ୟ ଯାହା ପାଆନ୍ତି, ଦଣ୍ଡକ ମଧ୍ୟରେ ଚରି ଶେଷକରି ଦିଅନ୍ତି । କୌଣସି ଶସ୍ୟ କ୍ଷେତ୍ରରେ ଏମାନେ ପଡ଼ିଲେ ସମୁଦାୟ କ୍ଷେତ୍ରଟି ଉପରେ ମାଟିଆ ରଙ୍ଗର ଚାଦର ବିଛାଇ ଦେଲା ପରି ଦିଶେ ।

 

Image

 

ଥରେ ଆଫ୍ରିକାରେ ଦଳେ ପଙ୍ଗପାଳ ସମୁଦ୍ର ଉପରେ ଉଡ଼ି ଯାଉଥିଲେ । ସେ ଦେଶର ଲୋକମାନେ ଏତେ ସଂଖ୍ୟାରେ ପଙ୍ଗପାଳ ଦେଖି ବଡ଼ ଆତଙ୍କିତ ହୋଇ ଉଠିଲେ । ଶେଷରେ କୌଶଳ କରି ସେମାନଙ୍କୁ ସମୁଦ୍ରପାଣିକୁ ଖସାଇଦେଲେ । ସମୁଦ୍ରରେ ପଡ଼ି ପଙ୍ଗପାଳ ଗୁଡ଼ିକ ମରିଗଲେ ସିନା, କିନ୍ତୁ ସମୁଦ୍ର ଭିତରେ ମଲା ଦେହ ଗୁଡ଼ିକ ଯିବ କୁଆଡ଼େ ? ଲହରୀ ସେମାନଙ୍କର ମଲା ଦେହକୁ କୂଳରେ ପଚାଶ ମାଇଲ ଯାଏ ଗୋଟିଏ ବଡ଼ ଉଚ୍ଚ ବନ୍ଧ ପରି ଛାଡ଼ିଦେଇଗଲା ।

 

ଗତ ଦୁଇ ବର୍ଷ ହେଲା ଆମ ଭାରତବର୍ଷର ଚାରିଆଡ଼େ ପଙ୍ଗପାଳ ଆକ୍ରମଣ ଦେଖା ଯାଉଛି । ଖାଦ୍ୟ ଶସ୍ୟକୁ ତାଙ୍କ କବଳରୁ ରକ୍ଷା କରିବାପାଇଁ ସରକାରଙ୍କ ତରଫରୁ ବହୁ ଆୟୋଜନ ହୋଇଛି । ବାଣ ଫୁଟାଇବା ଓ ନିଆଁ ହୁଳା ଜାଳି ମାଇଲ ମାଇଲ ଦୂରକୁ ତାଙ୍କୁ ଘୋଉଡ଼ାଇ ନେବା ପାଇଁ ବହୁ ଲୋକ ନିଯୁକ୍ତି କରାଯାଇଥିଲା ।

 

ପଙ୍ଗପାଳମାନେ ଚରି ଚରି ଖାଦ୍ୟ ଶେଷ ହୋଇଗଲେ ପରସ୍ପର ପରସ୍ପରକୁ ଖାଇ ଦିଅନ୍ତି । ଫଳରେ ତାଙ୍କର ସଂଖ୍ୟା କମିଯାଏ ।

 

ପ୍ରଶ୍ନ

 

୧.

ପଙ୍ଗପାଳ ଦେଖିବାକୁ କିପରି ଓ କେଉଁ ସ୍ଥାନରେ ବେଶି ଦେଖଯାଆନ୍ତି ?

 

 

୨.

ପଙ୍ଗପାଳର ଜୀବନୀ ବର୍ଣ୍ଣନା କର ।

Image

 

ଆମର ମିତ୍ର

 

Image

 

ପୂରୂବ ମେଘରେ ଯେବେ ସିନ୍ଦୂରା ଫାଟିଲା

ଡାକିଲା କଜଳପାତି ରାତି ପାହିଗଲା ।

ଧୀରପବନ ବହିଲା,

ଜାତି ଜାତି ଫୁଲ ଫୁଟି ବାସ ମହକିଲା ।

ଗଛପତ୍ର ଗହଳରେ ଚକାଫଳ ପରି

ଝୁଲୁଥିଲା ମହୁଫେଣା ଡାଳ ଆଶ୍ରା କରି

ତହିଁ ପଡ଼ିଲା ଚହଳ,

ଜାଗ ଜାଗ, କର୍ମେ ଲାଗ ହେଲା ଏବେ ବେଳ ।

ଶୁଭିଲା ଶବଦ ଶଙ୍ଖ ବାଜିଗଲା ପରି

ତରତର ହୋଇ ଛାଡ଼ି ଶୋଇବା କୋଠରୀ

ବାହାରିଲେ ମାଛିଦଳ,

ଫୁଲେ ମହୁ ଖୋଜିବାକୁ ଉଡ଼ିଲେ ଚଞ୍ଚଳ ।

ଅତିସାନ ଜୀବ, ଛୋଟ ପେଟଟିଏ ତା’ର

ପୂରିବାକୁ ତାହା ଲୋଡ଼ା କେତେ ବା ଆହାର

ଖୋଜି ଚଉଦିଗ ବୁଲେ,

ମହୁଭରା ଫୁଲଥିବ କେଉଁଠାକୁ ଗଲେ ।

ଟିକି ନାଉଡ଼ ନଳଟି କେଶର ଭିତରେ

ଭରିଦେଇ ଫୁଲେ ମହୁଟାଣିନେଇ ଥରେ

ପୁଣି ଯାଏ ଆନ ଫୁଲେ,

ଟିକିଏ ଅଳସ ନାହିଁ ସାରାଦିନ ବୁଲେ ।

ଆପଣାବସାକୁ ଆସେ ଥରେ ଥରେ ଉଡ଼ି

ରଖିଦେଇ ଯାଏ ମହୁ ଖୋପରେ ସଜାଡ଼ି

ନିଜ ପେଟ ଲାଗି ଖାଇ,

ସାଇତିରଖେ ସେ ପୁଣି ପରହିତ ପାଇଁ ।

କଳାମେଘ ଘୋଟି, ମାଡ଼ି ଆସିଲେ ବରଷା

ବସାଛାଡ଼ି ଉଡ଼ିବାକୁ ନ ପାଏ ଭରସା

ଯାହା ସଞ୍ଚି ରଖିଥାଏ,

ତହିଁରୁ ଖାଇ ସେ ଦୁଃଖବେଳେ ସୁଖପାଏ ।

ଜୀବ ସିନା ସାନଟିଏ ବଡ଼ ତା ବିଚାର

ଶ୍ରମ ଦାନକରି ସାଧେ ପର ଉପକାର

ମହୁ ଲୋଡ଼ା ତ ସବୁରି,

ଓଷା, ବ୍ରତ, ରୋଗବେଳେ ଥାଏ ସାଥି ପରି ।

ସୁଖବେଳେ ସଞ୍ଚିଥିଲେ ଅରଜିଲା ଧନ

ଦୁଃଖ, ବିପଦକୁ ତାହା ହୁଅଇ କାରଣ

ଗୁରୁପରି ମହୁମାଛି,

ଜଗତକୁ ଏହି କଥା ନିତି ଶିଖାଉଛି ।

 

ପ୍ରଶ୍ନ

 

୧.

ମହୁମାଛି କେଉଁଠାରେ ଓ କିପରି ବସା ବାନ୍ଧେ ?

 

 

୨.

ମହୁମାଛିଠାରୁ ଆମେ କି ଶିକ୍ଷା ପାଉଁ ?

Image

 

ହିମାଳୟର ଦର୍ପଚୂର୍ଣ୍ଣ

 

ମଣିଷ କ’ଣ ନ କରି ପାରେ ? ଅଜଣା ଓ ଅଦେଖା ତାହା ପାଖରେ ଆଉ କିଛି ନାହିଁ । ସେ ଜଳ, ସ୍ଥଳ, ଆକାଶ ସବୁ ଜୟକରିପାରିଛି ନିଜର ବୁଦ୍ଧି ଓ ଜ୍ଞାନ ବଳରେ । ଭାରତର ଉତ୍ତରରେ ମହାଦର୍ପୀ ହିମାଳୟ ତା’ର ଉଚ୍ଚତମ ଶୃଙ୍ଗ ଏଭରେଷ୍ଟକୁ ମୁକୁଟ ପରି ଧାରଣ କରି ଗର୍ବରେ ଯୁଗ ଯୁଗ ଧରି ଠିଆ ହୋଇ ରହିଥିଲା । ତା’ର ଶିଖର ଦେଶରେ ମନୁଷ୍ୟର ପାଦଚିହ୍ନ ପକାଇ ଦେବନାହିଁ ବୋଲି ପାଦ ଦେଶରେ ନିବିଡ଼ ଜଙ୍ଗଲକୁ ବଳିଷ୍ଠ ପ୍ରହରୀରୂପେ ଜଗାଇ ଥିଲା । ତୁଷାର ଭିତରେ ନିଜର ଦେହକୁ ଯତ୍ନରେ ଘୋଡ଼ାଇ ରଖିଥିଲା; ତଥାପି ମନୁଷ୍ୟର ବୁଦ୍ଧି ଓ କୌଶଳକୁ ଜୟକରି ପାରିଲା ନାହିଁ ।

 

ଈଶ୍ୱର ମନୁଷ୍ୟକୁ ଏପରି ପ୍ରବୃତ୍ତି ଦେଇ ଜନ୍ମ ଦେଇଛନ୍ତି ଯେ, ସେ ଅଦେଖା ସ୍ଥାନ ଦେଖିବାକୁ ଚାହେଁ, ଅଜଣା ବିଷୟ ଜାଣିବାକୁ ଇଚ୍ଛାକରେ ଓ ଯାହା ଦୁର୍ଜୟ, ତାକୁ ଜୟ ମଧ୍ୟ କରିବାକୁ ଚେଷ୍ଟାକରେ । ସେ ହିମାଳୟର ଶୃଙ୍ଗ ଉପର ସ୍ୱଚକ୍ଷୁରେ ନ ଦେଖି ରହି ପାରନ୍ତା କିପରି-? ତାର ଆଶା ଭୀମ ବଳ ଧରି ଜାଗି ଉଠିଲା ।

 

୧୯୧୧ ମସିହାରେ ହିମାଳୟ ଶିଖର ଦେଶକୁ ଆରୋହଣ କରିବା ପାଇଁ ପ୍ରଥମ ଆରୋହୀ ଦଳ ବାହାରିଲେ; ମାତ୍ର ବରଫ ଝଡ଼ର ପ୍ରଭାବ ଓ ବାୟୂର ଅଭାବ ସହି ନପାରି ଅଧବାଟରେ ମରଣକୁ ବରଣ କଲେ । ଏହିପରି ଥରକୁଥର ଛ’ଟି ଦଳ ହିମାଳୟ ଆରୋହଣର ଚେଷ୍ଟା କରି କେହି ବା ନିରାଶରେ ଫେରି ଆସିଲେ, କେହି କେହି ମୃତ୍ୟୁମୁଖରେ ପଡ଼ିଲେ । ଦର୍ପୀ ହିମାଳୟର ଦର୍ପ ଦିନକୁ ଦିନ ବଢ଼ିବାରେ ଲାଗଲା ।

 

୧୯୫୩ ମସିହା ମାର୍ଚ୍ଚମାସ ୧୦ ତାରିଖ ଦିନ କର୍ଣ୍ଣେଲ ହଣ୍ଟ୍‌ଙ୍କ ନେତୃତ୍ୱରେ ସପ୍ତମ ଆରୋହୀ ଦଳ ବାହାରିଲେ । ଏହି ଦଳରେ ଥିଲେ ଶେର୍ପା ଜାତିର ଶ୍ରମିକ ତେନଜିଂ ନର୍କେ । ତେନଜିଂ ସେର୍ପା ଜାତିର ସର୍ଦ୍ଦାର ଥିଲେ । ସେ ପୂର୍ବବର୍ତ୍ତୀ ଆରୋହୀମାନଙ୍କ ସଙ୍ଗେ ପାଞ୍ଚଥର ହିମାଳୟ ଆରୋହଣର ଚେଷ୍ଟା କରିଥିଲେ । ଏଥର ପୁଣି ତେନଜିଂ ଓ ଅଷ୍ଟ୍ରେଲିଆର ଏଡ଼ମଣ୍ଡ ହିଲାରୀ ସାହସ ଧରି ହିମାଳୟ ଶିଖର ଦେଶକୁ ଜୟ କରିବାକୁ ବାହାରିଲେ ।

 

ଆରୋହୀ ଦଳ ମଝିରେ ମଝିରେ ଶିବିର ନିର୍ମାଣ କରି ବିଶ୍ରାମ ନେଇ ମେ ମାସ ୨୮ ତରିଖରେ ନବମ ଶିବିର ନିର୍ମାଣ କଲେ । ସେମାନଙ୍କ ସଙ୍ଗରେ ଯାଇଥିବା ଯାତ୍ରୀଦଳ ସେହିଠାରୁ ଅଷ୍ଟମ ଶିବିରକୁ ଫେରି ଆସିଲେ । ଅମ୍ଳଜାନ ଥଳୀ ଓ ଆବଶ୍ୟକୀୟ ପଦାର୍ଥମାନ ଧରି ତୁଷାର ଗଦା ଅତିକ୍ରମ କରି ଆରୋହୀ ଦୁଇଜଣ ଆଗକୁ ଆଗକୁ ଆଗେଇଲେ । ସୌଭାଗ୍ୟବଶତଃ ପାଗ କ୍ରମେ ଖୁବ୍‌ ଭଲ ହୋଇଗଲା । ତେନଜିଂ ଓ ହିଲାରୀ ଏହିଥର ହିମାଳୟର ଦର୍ପ ଚୂର୍ଣ୍ଣକରି ୨୯୦୨୮ ଫୁଟ ଉଚ୍ଚ ଏଭରେଷ୍ଟର ଶିଖର ଦେଶରେ ପାଦ ଦେଲେ । ଅତି ଆନନ୍ଦରେ ତେନଜିଂ ଓ ହିଲାରୀ ପରସ୍ପରକୁ ଆଲିଙ୍ଗନ କରି କ୍ଷଣକ ପାଇଁ ଏଭରେଷ୍ଟ ଉପରେ ନାଚି ଉଠିଲେ । ଇଂଲଣ୍ଡ, ଭାରତ, ନେପାଳ ଓ ଜାତିସଂଘର ପତାକା ଏଭରେଷ୍ଟ ଉପରେ ଫରଫର ହୋଇ ଉଡ଼ିଉଠିଲା । ତେନଜିଂ ବରଫ ଉପରେ ଗୋଟିଏ ଗାତ ଖୋଳି ଅଳ୍ପ କିଛି ବିସ୍‌କୁଟ ଓ ଚକୋଲେଟ ପୋତିପକାଇଲେ । ହିମାଳୟର ଉପରିଭାଗ ଦେବତାଙ୍କର ବାସସ୍ଥାନ ବୋଲି ବୌଦ୍ଧଧର୍ମାବଲମ୍ବୀମାନଙ୍କର ବିଶ୍ୱାସ । ସେଥିପାଇଁ ଦେବତାଙ୍କର ନୈବେଦ୍ୟ ସ୍ୱରୂପ ସେ ଖାଦ୍ୟପୋତିଥିଲେ । ହିଲାରୀ ମଧ୍ୟ ଯିଶୁଖ୍ରୀଷ୍ଟଙ୍କର ମୂର୍ତ୍ତିଟିଏ ସେଠାରେ ରଖିଥିଲେ । ତାହାପରେ ତେନଜିଂ ଓ ହିଲାରୀ ନୂଆ ଜୀବନ ପାଇ ପର୍ବତ ଉପରୁ ଓହ୍ଲାଇ ଆସିଥିଲେ ।

 

Image

 

ଯେଉଁ ତେନଜିଂ ନେପାଳର ଶେର୍ପା ଜାତିର ଜଣେ ଅତି ସାଧାରଣ ଲୋକ, ସେ ଆଜି ନେପାଳର ତାରକା । ସମଗ୍ର ଦେଶ ତାଙ୍କୁ ଏବେ ଉଚ୍ଚ ସମ୍ମାନରେ ସମ୍ମାନିତ କରୁଅଛି । ତାଙ୍କର ଦର୍ଶନକୁ ଦେଶବାସୀ ପରମ ସୌଭାଗ୍ୟ ବୋଲି ମନେ କରୁଛନ୍ତି । ତାଙ୍କର ସଫଳତା ତାଙ୍କୁ ନୂତନ ଜୀବନ ଦାନ କରିଛି । ହିମାଳୟ କିନ୍ତୁ ତା’ର ଶିର ନୁଆଁଇ ଦେଇଛି, ତେନଜିଂ ଓ ହିଲାରୀଙ୍କ ପାଖରେ ।

 

ପ୍ରଶ୍ନ

 

୧.

ହିମାଳୟର ଦର୍ପ କିପରି ଚୂର୍ଣ୍ଣ ହେଲା ?

 

 

୨.

ତେନଜିଂ କାହିଁକି ଏଭରେଷ୍ଟ ଉପରେ ଖାଦ୍ୟପଦାର୍ଥ ପୋତିଥିଲେ ?

Image

 

ପ୍ରଥମ ମହାକାଶ ବିଜୟୀ

 

ଆମ୍ଭମାନଙ୍କର ମୁଣ୍ଡ ଉପରେ ଯେଉଁ ମହାକାଶ କାୟା ବିସ୍ତାର କରି ରହିଅଛି ତାହାର ସୀମାନାହିଁ । ଏହା ଯେ କେତେ ବିରାଟ ଆମ୍ଭେମାନେ ତାହା କଳ୍ପନାକରି ପାରିବା ନାହିଁ ; କିନ୍ତୁ ଏହି ଅସୀମ ଅନନ୍ତ ଆକାଶକୁ ମାନବ ଆଜି ବିଜ୍ଞାନ ବଳରେ ଜୟକରି ଗୋଟିଏ ନୂତନ ଇତିହାସ ସୃଷ୍ଟି କରିଛି ।

 

ଏହି ମହାକାଶ ବିଜେତା କିଏ ? ସେ ଆମ୍ଭମାନଙ୍କ ଭଳି ଜଣେ ମାନବ । ତାଙ୍କର ନାମ ମେଜର ୟୁରି ଗାଗାରିନ୍‌ । ଗାଗାରିନ ସୋଭିଏଟ୍‌ ଦେଶର ଘାଟସ୍ଥ ଜିଲାରେ ୧୯୩୪ ମସିହା ମାର୍ଚ୍ଚ ମାସ ୯ ତାରିଖରେ ଜନ୍ମଲାଭ କରିଥିଲେ । ତାଙ୍କର ପିତା ଜଣେ ବଢ଼େଇ ।

 

୧୯୪୧ ମସିହାରେ ଗାଗାରିନ୍‌ ପ୍ରଥମେ ବିଦ୍ୟାଳୟରେ ପ୍ରବେଶ କରିଥିଲେ; କିନ୍ତୁ ଆଜି ଆକ୍ରମଣ ଯୋଗୁ ତାଙ୍କ ପଢ଼ା ପଢ଼ିରେ ବାଧା ଘଟିଥିଲା । ଦ୍ୱିତୀୟ ମହାଯୁଦ୍ଧର ଅବସାନପରେ ଗାଗାରିନ୍ ପରିବାର, ଘାଟସ୍କ ସହରକୁ ଚାଲି ଆସିଥିଲେ । ସେହିଠାରେ ଗାଗାରିନ୍‌ଙ୍କର ମାଧ୍ୟମିକ ଶିକ୍ଷା ଆରମ୍ଭ ହୋଇଥିଲା । ୧୯୫୧ ମସିହାରେ ଗୋଟିଏ କାରିଗରୀ ବିଦ୍ୟାଳୟରୁ ସେ ସମ୍ମାନର ସହିତ ଶିକ୍ଷା ସମାପ୍ତି କରିଥିଲେ ।

 

ତା’ପରେ ସେ ଭଲ୍‌ଗା ନଦୀ ନିକଟରେ ଥିବା ଗୋଟିଏ ବୈଷୟିକ ବିଦ୍ୟାଳୟରେ ୧୯୫୫ ମସିହାରେ ଶିକ୍ଷାଲାଭ କରିଥିଲେ । ଏହି ବୈଷୟିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ଅବସର ସମୟତକ ସାରଟୋଭ ବିମାନ ଚାଳନା କେନ୍ଦ୍ରରେ ସେ ବିମାନ ଚାଳନା ଶିକ୍ଷା କରୁଥିଲେ ।

 

Image

 

ସାରଟୋଭ ବିମାନ ପରିଚାଳନା କେନ୍ଦ୍ରରେ ଶିକ୍ଷା ସମାପ୍ତ କରି ସେ ବିମାନ ଚାଳନାରେ ଅଧିକ ଶିକ୍ଷାଲାଭ କରିବାପାଇଁ ଓରେନ୍‌ବର୍ଗ ବିଦ୍ୟାଳୟରେ ପ୍ରବେଶ କଲେ । ୧୯୫୭ ମସିହାରୁ ସେ ଜଣେ ରିତିମତ ବିମାନଚାଳକ ରୂପେ ପରିଚିତ ହେଲେ । ଉକ୍ତ ବର୍ଷ ସେ ଓରେନ୍‌ବର୍ଗ ବିଦ୍ୟାଳୟରୁ ସମ୍ମାନର ସହିତ ସ୍ନାତକ ଉପାଧି ଲାଭକଲେ । ସେ ସୋଭିଏଟ୍‌ ସାମ୍ୟବାଦୀ ଦଳର ଜଣେ ସଭ୍ୟ ହୋଇଥିଲେ ।

 

ଗାଗାରିନ୍‌ଙ୍କର ସହଧର୍ମିଣୀଙ୍କର ନାମ ଭଲେନ୍‌ଟିନା । ସେ ମଧ୍ୟ ଓରେନ୍‌ବର୍ଗ ଡାକ୍ତରୀ ବିଦ୍ୟାଳୟର ସ୍ନାତକ ଉପାଧି ଭୂଷିତା । ଗାଗାରିନ୍‌ଙ୍କର ଦୁଇଟି ଶିଶୁକନ୍ୟା । ପ୍ରଥମାଟିର ନାମ ୟେଲିନା ଓ ଦ୍ୱିତୀୟଟିର ନାମ ଗାଲିୟା ।

 

୧୯୬୧ ମସିହାର ଏପ୍ରିଲ ମାସ ୧୨ ତାରିଖ । ସବୁଦିନ ପରି ସୂର୍ଯ୍ୟଦେବତା ପୃଥିବୀରେ ତାଙ୍କର କିରଣମାଳା ବିଛାଇ ଦେଇଥିଲେ । ଏହି ଦିନ ମାନବ ଜାତିର ଇତିହାସରେ ଗୋଟିଏ ଚମକପ୍ରଦ ଘଟଣା ସୃଷ୍ଟିକଲେ ଗାଗାରିନ୍‌ । ସେଦିନ ସକାଳ ଘ ୯.୦୭ ମିନିଟରେ ଭୋସ୍ତକ ନାମକ ମହାକାଶ ଯାନ ପୃଥିବୀଉପରୁ ଗାଗାରିନ୍‌ଙ୍କୁ ଧରି ଯାତ୍ରା ଆରମ୍ଭ କଲା । ସେତେବେଳେ ଗାଗାରିନ୍‌ ଖୁବ୍‌ ଆନନ୍ଦ ଓ ପ୍ରଫୁଲ୍ଲ ଦେଖାଯାଉଥିଲେ । ଘଣ୍ଟାକୁ ପ୍ରାୟ ୧୭୫୦୦ ମାଇଲ ବେଗରେ ଭୋସ୍ତକ ଗତି କରିବାକୁ ଲାଗିଲା । ବୈଜ୍ଞାନିକ ଯନ୍ତ୍ରପାତି ସାହାଯ୍ୟରେ ଗାଗାରିନ୍‍ ପୃଥିବୀ ପୃଷ୍ଠରେ ଥିବା ବିଶେଷଜ୍ଞମାନଙ୍କ ସହିତ କଥାଭାଷା ହେବାର ବ୍ୟବସ୍ଥା କରାଯାଇଥାଏ ଏବଂ ଭୋସ୍ତକରୁ ଗାଗାରିନ୍‌ ପୃଥିବୀ ପୃଷ୍ଠକୁ ଦେଖି ପାରିବାର ଯନ୍ତ୍ର ମଧ୍ୟ ଖଞ୍ଜା ଯାଇଥାଏ । ମହାକାଶଯାନ ଉପରକୁ ଉଠିବା ସଙ୍ଗେ ସଙ୍ଗେ ସତେ ଯେପରି ଗୋଟିଏ ବଳିଷ୍ଠ ଶକ୍ତି ଗାଗାରିନ୍‌ଙ୍କୁ ଚାପି ଧରିବାର ସେ ଅନୁଭବ କଲେ । ବେଳକୁ ବେଳ ଏ ଭାର କ୍ରମେ ବଢ଼ିବାକୁ ଲାଗିଲେ ମଧ୍ୟ ଗାଗାରିନ୍‌ ତାହା ସହି ପାରୁଥିଲେ । ପୃଥିବୀ ଉପରେ ଥିବା ବିଶେଷଜ୍ଞମାନେ ମଝିରେ ମଝିରେ ଗାଗାରିନ୍‌ଙ୍କୁ ତାଙ୍କ ସ୍ୱାସ୍ଥ୍ୟବିଷୟରେ ପ୍ରଶ୍ନ କରୁଥିଲେ ଓ ତାଙ୍କଠାରୁ ଉତ୍ତର ମଧ୍ୟ ପାଉଥିଲେ । ଯେତେବେଳେ ଯାନଟି ତା’ର ନିର୍ଦ୍ଦିଷ୍ଟ କକ୍ଷ ମଧ୍ୟରେ ପ୍ରବେଶ କଲା ସେତିକି ବେଳୁ ସେ ଭାରହୀନତା ଅନୁଭବ କଲେ । କ୍ରମେ ତାଙ୍କୁ, ତାଙ୍କର ବସିବା ଆସନ ଉପରେ ଭାସିବା ଭଳି ଲାଗିଲା । ସାଙ୍ଗରେ ନେଇଥିବା ମାନଚିତ୍ର ବାକ୍‌ସଟି ଝୁଲିଲା ଭଳି ତାଙ୍କୁ ଦିଶିଲା । ମଝିରେ ମଝିରେ ସେ ନିୟମିତ ଭାବରେ ଘଟଣା ଗୁଡ଼ିକ ଟିପି ରଖୁଥିଲେ । ସେ ଘଟଣା ଗୁଡ଼ିକ ଟିପି ପେନସିଲ୍‌ଟି ଛାଡ଼ି ଦେଲା ମାତ୍ରେ ତାହା ଶୂନ୍ୟରେ ଭାସୁଥିଲା ।

 

ଭୋସ୍ତକ ଭିତରେ ବୈଜ୍ଞାନିକ ଯନ୍ତ୍ରପାତି ଖଞ୍ଜା ଯାଇଥିବା ପୋଷାକରେ ଆବଦ୍ଧ ରହି ମଧ୍ୟ ଗାଗାରିନ୍‌ ତଳକୁ ଚାହିଁ ପୃଥିବୀର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରୁଥାନ୍ତି । ପୃଥିବୀ ତାଙ୍କୁ ବିଭିନ୍ନରଙ୍ଗରେ ରଞ୍ଜିତ ହୋଇ ସୁନ୍ଦର ଦିଶୁଥାଏ । କେଉଁଠାରେ ଘନନୀଳ, କେଉଁଠାରେ ନୀଳକାନ୍ତ ମଣିପରି ଉଜ୍ଜ୍ୱଳ ଦିଶୁଥାଏ । ମୁକ୍ତା ବିନ୍ଦୁ ପରି ଅଗଣିତ ଉଜ୍ୱଳ ନକ୍ଷତ୍ର ଭୋସ୍ତକର ଝରକାବାଟେ ସେ ଦେଖି ପାରୁଥିଲେ । ନୌକାର ଦଉଡ଼ିପରି ବେତାର ଯନ୍ତ୍ର ଦ୍ୱାରା ପୃଥିବୀ ଓ ଗାଗାରିନ୍‌ଙ୍କ ମଧ୍ୟରେ ସମ୍ବନ୍ଧ ରହିଥିଲା । ତେଣୁ ପ୍ରତ୍ୟେକ ଖବର ସେ ପ୍ରତି ମୂହୁର୍ତ୍ତରେ ପୃଥିବୀକୁ ପଠାଇ ପାରୁଥିଲେ । ସେ ପୃଥିବୀ ପୃଷ୍ଠ ଉପରକୁ ପ୍ରାୟ ୧୮୭୨ ମାଇଲ ଦୂର ପର୍ଯ୍ୟନ୍ତ ଯାଇଥିଲେ ।

 

ଘ୧୦-୫ ମିନିଟରେ ମହାକାଶ ଯାନ ତା’ର ନିର୍ଦ୍ଧାରିତ ସମୟ ଅନୁସାରେ କକ୍ଷ ଛାଡ଼ି ତଳକୁ ଗତି କରିବାକୁ ଆରମ୍ଭକଲା । ସେତେବେଳେ ଭୋସ୍ତକର ବାହାର ପାଖ ତାତି ଯିବାର ଗାଗାରିନ୍‌ ଅନୁଭବ କରିଥିଲେ । ଝରକାର ପରଦା ବାଟେ ସେ ବାହାରକୁ ଅନାଇଁ ଦେଖିଲେ ଯେ ଗାଢ଼ ଲାଲ ରଙ୍ଗର ଶିଖା ସବୁ ଭୋସ୍ତକର ଚାରିପାଖରେ ଲହ ଲହ ଦିଶୁଛି । ହଠାତ୍‌ ଭୋସ୍ତକ ଭଉଁରୀ ପରି ବୁଲିବାକୁ ଲାଗିଲା । କିଛି ସମୟ ପରେ ଭଉଁରୀ ବନ୍ଦ ହୋଇଗଲା ଓ ପୃଥିବୀ ପୃଷ୍ଠକୁ ଭୋସ୍ତକ ଅବତରଣ କଲା । ଆକାଶମାର୍ଗରେ ୧୦୮ ମିନିଟ୍‌ ଭ୍ରମଣକରି ଘ ୧୦-୫୫ ମିନିଟରେ ସ୍ମେଲୋଭୁକାର ପାଖରେ ଏଞ୍ଜେଲସ୍‌ର ଦକ୍ଷିଣପୂର୍ବକୁ କୋଠ ଖମାରର ଗୋଟିଏ ଅନାବାଦୀ ପଡ଼ିଆରେ ଭୋସ୍ତକ ଓହ୍ଲାଇଲା । ସମଗ୍ର ବିଶ୍ୱରେ ଚହଳ ପକାଇ ମହାକାଶ ଯାତ୍ରୀ ଗାଗାରିନ୍‌ ଭୋସ୍ତକ ଭିତରୁ ବାହାରିଲେ । ଯେଉଁ ଆକାଶ ଦେବତାଙ୍କର ରାଜ୍ୟ ବୋଲି ଯୁଗ ଯୁଗ ଧରି କେବଳ କଳ୍ପନା ମଧ୍ୟରେ ଥିଲା, ସେହି ରାଜ୍ୟକୁ ଏ ଯୁଗର ବୀର ଗାଗାରିନ୍‌ ବାଟ ଫିଟାଇ ଆସିଛନ୍ତି-। ସେଥିପାଇଁ ସମଗ୍ର ପୃଥିବୀ ତାଙ୍କୁ ଅଭ୍ୟର୍ଥନା କରିବାକୁ ବ୍ୟଗ୍ର ହୋଇ ଚାହିଁ ରହିଛି-

 

ପ୍ରଶ୍ନ

 

୧.

ଗାଗାରିନ୍‍ଙ୍କର ପରିଚୟ ଦିଅ ।

 

 

୨.

ମହାକାଶ ବିଜୟରେ ତାଙ୍କର ଅନୁଭୂତି ବର୍ଣ୍ଣନା କର ।

Image

 

ସଭ୍ୟଦେଶ

 

ପାଲଟି ଚାଲିଛି ମହୀ,

ଦିନେ ଯାହାଥିଲା ଅଦେଖା ଅଶୁଣା

ଆଜି ଜଣା କଥା ସେହି ।

ଏକଦା ଜେନେଓ୍ୟା ଦେଶେ,

ଥିଲେ କଲମ୍ବସ, ନାମଟି ତାଙ୍କର

ଆଜି ଏ ପୃଥିବୀ ଘୋଷେ ।

ଚତୁର ସାହସୀ ବୀର,

ସହସା ଜାଗିଲା ପୃଥିବୀ ଭ୍ରମଣ–

ଆଶା, ମନେ ତାହାଙ୍କର ।

ଜେନେଓ୍ୟା ଦେଶର ରାଣୀ,

ସହାୟ ହୋଇଲେ କଲମ୍ବସଙ୍କର

ପ୍ରବଳ ଆକାଂକ୍ଷା ଜାଣି ।

ସଙ୍ଗେ ଜଣ କେତେ ଘେନି,

ଅଥଳ ଅକୂଳ ସାଗରେ ଜାହାଜ

ଭସାଇଲେ ବୀରମଣି ।

ଜଣା ନାହିଁ ଦେଖା ନାହିଁ,

ଉତୁଙ୍ଗ ଲହରୀ ବିପଦ ନବାରି

ଜାହାଜ ଚାଲିଛି କାହିଁ ।

ଖାଦ୍ୟ ଯାହା ଥିଲେ ଭରି,

କଥାରେ କହନ୍ତି– ବସି ଖାଇଲେ ତ

ନଈ ବାଲି ଯାଏ ସରି ।

ବିକଳ ସବୁରି ମନ,

ଯାହା ଅଛି ଆଉ ଖାଇବା ଦରବ

ଚଳିବ ଦିନେ ଦି’ଦିନ ।

ମନ ବଳ ଟାଣ ଯାର,

ବିପଦ ବାଦଲ କାହିଁ ଉଡ଼ିଯାଏ

ଦଇବ ସହାୟ ତା’ର ।

ଶୁଭ ସକାଳରେ ଦିନେ,

ଦରିଆ ମଝିରେ ସ୍ଥଳଭାଗ ଦେଖି

ପୁଲକ ଜାଗିଲା ମନେ ।

ଭାଳିଲେ ଯିବାକୁ ତହିଁ,

ଆହାର ଆଶାରେ ସ୍ଥଳ ଲକ୍ଷ୍ୟ କରି ।

ଜାହାଜକୁ ନେଲେ ବାହି ।

ଅରଣ୍ୟ ଭରା ସେ ଦେଶ,

ଅଛନ୍ତି ମାନବ ଅଦଭୂତ ତାଙ୍କ

ରୀତି, ନୀତି, ବାସ, ବେଶ ।

ଭାଳି ହେଲେ କଲମ୍ବସ,

କହା କୁହା କଥା କେହି ନ ବୁଝନ୍ତି

ଉପାୟ ଏଥକୁ କିସ ।

ଠାରରେ ଦେଲେ ବୁଝାଇ,

ବହୁଦୂରୁ ଆମେ ବିଦେଶୀ ଆସିଛୁଁ

ଖାଇବାକୁ କିଛି ନାହିଁ ।

ଠାରରୁ ବୁଝି ସେ ଲୋକେ,

ଅତିଥି ବିଚାରି, ମନେ ଦୟାକରି

ଖାଦ୍ୟ ଆଣି ଦେଲେ ଥୋକେ ।

ଦେହ ମୁହଁ ଦିଶେ ରଙ୍ଗ,

ନର କି ଦେବତା ଭାଳି ହେଲେ ଲୋକେ

ଦେଖି ବିଦେଶୀଙ୍କ ଢଙ୍ଗ ।

ଖାଦ୍ୟ ନ ଦେଲେ କେ ଆଉ,

ପ୍ରମାଦ ଗଣିଲେ ବିଦେଶୀଏ ମନେ

ଅସମ୍ଭାଳ ପେଟ ଦାଉ ।

ଯୋଗକୁ ପର ଦିବସ,

ସୂର୍ଯ୍ୟପରାଗଟି ଲାଗିବ ବୋଲି ତା,

ଜାଣିଥିଲେ କଲମ୍ବସ ।

ଉପାୟଟି ଗଲା ଦିଶି

ରାଗ ହେଲା ପରି ଠାରରେ କହିଲେ

ଶୁଣ ମଖ ଦ୍ୱୀପ ବାସୀ ।

ଆମେ ରେ ନୋହୁ ମାନବ,

ଦ୍ୱୀପକୁ ତୁମର ଆସିଅଛୁଁ ବୁଲି

ଆମେ ସ୍ୱରଗର ଦେବ ।

ଆହାର ଆଣ ଖାଇବୁଁ

ନୋହିଲେ ତୁମର ଆକାଶରୁ ଆମେ

ସୂର୍ଯ୍ୟଙ୍କୁ ଛପାଇ ଦେବୁଁ ।

ଥିବ ଚିର ଅନ୍ଧକାରେ,

ଯେତେ ଅଛ ଏହି ଦ୍ୱୀପ-ବାସୀ ତୁମେ

ମରିଯିବ ହାହାକାରେ ।

ମୂର୍ଖ ଲୋକେ ଏହା ଶୁଣି,

ପରତେ ନ ଗଲେ, ହସି ଉଡ଼ାଇଲେ

ଅସମ୍ଭବ ବୋଲି ମଣି ।

ସତ ଫଳିଗଲା କଥା,

ତହିଁ ଆରଦିନ ସୂର୍ଯ୍ୟ ଛପିଗଲେ

ଘୂରିଲା ଲୋକଙ୍କ ମଥା ।

ଧାଇଁ କଲମ୍ବସ ପାଶେ,

ପାଦତଳେ ପଡ଼ି ମଥା କୋଡ଼ି ହେଲେ

ରବି ଫେରାଇବା ଆଶେ ।

କାନ୍ଦି ଜଣାଇଲେ ଠାରି

ରୋଷ ତେଜି, କର କରୁଣା ଦେବତା !

ଅଣାଅଁ ସୂର୍ଯ୍ୟଙ୍କୁ ଫେରି ।

ପରାଗ ଛାଡ଼ିଲା କ୍ରମେ,

ଉଜ୍ଜ୍ୱଳ ଦିଶିଲେ ସୁରୂଜ ଦେବତା

ଉଇଁଲେ ଆକାଶ ଧାମେ ।

ଭାଳିଲେ ଦ୍ୱୀପର ଜନେ,

ଦେବତା ସନ୍ତୋଷ ହୋଇଲେ ଏଥର

ଆନନ୍ଦ ଜାଗିଲା ମନେ ।

ସକଳେ କରି ବିଚାର

ଯୋଗାଇ ଦେଲେ ସେ କଲମ୍ବସ ପାଶେ

ଆଣି ଖାଦ୍ୟ ଭାର ଭାର ।

ନାଚିଲେ ବଜାଇ ବାଜା,

ଉତ୍ସବ ପାଳିଲେ ଦେବତା ବିଚାରି

ବିଦେଶୀଙ୍କୁ କରି ପୂଜା ।

ଖାଦ୍ୟ ଚିନ୍ତା ଗଲା କାହିଁ,

ବୁଦ୍ଧି ବଳେ ହେଳେ ଦେଲେ କଲମ୍ବସ

ବଣୁଆଁ ଜନେ ହରାଇ ।

ରହିଲେ ନରଖି ଦକା,

ସାଗର ଦ୍ୱୀପରେ, ଆଜି ବୋଲାଏ ଯା

ସଭ୍ୟ ଦେଶ ଆମେରିକା ।

 

ପ୍ରଶ୍ନ

 

୧.

କଲମ୍ବସ କି ଉପାୟରେ ବଣୁଆ ଲୋକଙ୍କଠାରୁ ଖାଦ୍ୟ ସଂଗ୍ରହ କଲେ ?

 

 

୨.

କଲମ୍ବସ ଯେଉଁ ସ୍ଥଳଭାଗକୁ ପ୍ରଥମେ ଦେଖି ଲୋକଙ୍କୁ ଜଣାଇଦେଲେ ସେ ସ୍ଥାନର ବର୍ତ୍ତମାନ ଅବସ୍ଥା କଅଣ ?

Image